ମୁଖ୍ୟ ଖବର

ଅନୁଗୁଳରେ ପୁଣି ସେକ୍ସ ରାକେଟ୍ ଠାବ: ଘର ମାଲିକ ଗିରଫ, ୨ ଦେହଜୀବୀ ଉଦ୍ଧାର

By Angul TV Bureau

May 08, 2026

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ସୌଭାଗ୍ୟ ନଗରସ୍ଥିତ ଏକ ଘରେ ଚଢ଼ାଉ କରି ପୁଲିସ ଘର ମାଲିକ ପ୍ରଦୀପ କୁମାର ରାଉତରାଏଙ୍କୁ ଗିରଫ କରିବା ସହ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ତେବେ ପୁଲିସ ଚଢ଼ାଉ ବେଳେ ୨ ଜଣ ଗ୍ରାହକ କୌଶଳକ୍ରମେ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଦୀପ ରାଉତରାଏ ଦୀର୍ଘ ଦିନ ହେଲା ନିଜ ବାସଭବନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ରୂପଜୀବୀଙ୍କୁ ଆଣି ଏହି ଅନୈତିକ କାର୍ଯ୍ୟ ଚଳାଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଆଇଆଇସି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ ଅନୁଗୁଳ ଟାଉନ୍ ଥାନା ପୁଲିସ ପକ୍ଷରୁ ଏହା ଦ୍ୱିତୀୟ ସେକ୍ସ ରାକେଟ୍ ଠାବ। ପୂର୍ବରୁ ଗତ ଏପ୍ରିଲ ୯ ତାରିଖରେ ତୁରଙ୍ଗ ଅଞ୍ଚଳର ଏକ ଲଜ୍‌ରୁ ମଧ୍ୟ ଅନୁରୂପ ଭାବେ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯିବା ସହ ଲଜ୍ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।