ଅନୁଗୁଳ: ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ ଫାଷ୍ଟ ଟ୍ରାକ୍ଟ କୋର୍ଟ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୨୫.୬.୨୦୨୦ଦିନ ଅନୁଗୁଳ ଥାନା ଅନ୍ତର୍ଗତ ସୁରାବ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ଘରେ କେହି ନଥିବାରୁ ଜଣେ ନାବାଳିକା ତାଙ୍କ ଘରକୁ ବାସନ ମାଜିବା ପାଇଁ ଯାଇଥିଲା। କେହି ନଥିବାର ସୁଯୋଗ ପାଇ ଅକ୍ଷୟ ସମ୍ପୃକ୍ତା ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲେ। ସମ୍ପୃକ୍ତା ନାବାଳିକା ସେଠାରୁ କୌଶଳ କ୍ରମେ ଦୌଡ଼ି ଯାଇ ନିଜ ମା’କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କିନ୍ତୁ ଘଟଣା ପର ଦିନ ସକାଳେ ପୁନର୍ବାର ଅକ୍ଷୟ ପ୍ରଧାନ ସମ୍ପୃକ୍ତା ନାବାଳିକା ଘରକୁ ଯାଇ ତାକୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପେଟ୍ରୋଲ ଢାଳି ପୋଡ଼ିଦେବାର ଧମକ ଦେଇଥିଲେ।
ଦୁଇ ଦିନ ପରେ ନାବାଳିକାରର ପରିବାର ପକ୍ଷରୁ ଗତ ୨୭.୦୬.୨୦୨୦ ଦିନ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅନୁଗୁଳ ପୋଲିସ ଦଫା ୩୭୬(ବି), ୨୯୪, ୩୨୩, ୫୦୬ ଆଇପିସି ୪ ପୋକସୋ ଆକ୍ଟରେ କେସ୍ ରୁଜୁ କରି ଅଭିଯୁକ୍ତ ଅକ୍ଷୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଆଜି ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ ଫାଷ୍ଟ ଟ୍ରାକ୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି କେସର ଶୁଣାଣି କରି ଅଭିଯୁକ୍ତ ଅକ୍ଷୟକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।
ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୂତିଆ କେସ୍ ପରିଚାଳନା କରିଥିଲେ।