ମୁଖ୍ୟ ଖବର

ପରକୀୟା ପ୍ରୀତି ସନ୍ଦେହରେ ଗୁଳିକାଣ୍ଡ,ଜଣେ ଗୁରୁତର

By Angul TV Bureau

September 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଏକ ବସ୍ତିରେ ଗୁଳିକାଣ୍ଡ। ଏହି ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା। ଗୁରୁତର ଜଣକ ହେଲେ ସୁରଭି ନାଏକ। ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଯେ, କମଳପୁର ଗାଁର ସୁରଭି ନାଏକ ଓ କ୍ଷୀରୋଦ ନାଏକ ଉଭୟ ବିବାହିତ ଓ ଉଭୟଙ୍କର ପିଲାଛୁଆ ଅଛନ୍ତି। କିଛି ବର୍ଷ ହେବ ସୁରଭିଙ୍କ ପତ୍ନୀଙ୍କ ସହିତ କ୍ଷୀରୋଦଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ବ୍ୟାପାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଲାଗି ରହୁଥିଲା। ସୁରଭିଙ୍କ ସ୍ତ୍ରୀ ଗତ ୧୨ ଦିନ ହେବ ପିଲାଛୁଆଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି। କ୍ଷୀରୋଦ ତାଙ୍କ ସ୍ତ୍ରୀକୁ ଲୁଚାଇ ରଖିଥିବା ସୁରଭି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଆଜି ସକାଳେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କ୍ଷୀରୋଦ ଏକ ବନ୍ଧୁକ ଆଣି ସୁରଭିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫାଲରେ ସୁରଭିଙ୍କ ଡାହାଣ ପାଖ କାନ୍ଧ ଓ ଅଣ୍ଟା ପାଖରେ ୨ ଟି ଗୁଳି ବାଜିଛି।

ଆଠମଲ୍ଲିକ ଉପଖଣ୍ଡ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣା ପରେ ଅଭିଯୁକ୍ତ କ୍ଷୀରୋଦ ନାଏକ ଫେରାର ଥିବା ଜଣାପଡିଛି।