ଅନ୍ୟାନ୍ୟ

ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅଣୁଗଳ୍ପ ଓ କବିତା ପାଠୋତ୍ସବ

By Angul TV Bureau

January 30, 2023

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅଣୁଗଳ୍ପ ଓ କବିତା ପାଠୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଦୀପକ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଡଃ ପ୍ରଶାନ୍ତ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ଯଦୁମଣି ସାହୁ,ଡଃ କଳ୍ପନା ବୋଇତି, ଶୋଭାଗିନୀ ଦାସ,ଅରୁଣ ଗଡନାୟକ ଓ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସାରସ୍ଵତ ସମାବେଶରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ କବି,କବୟିତ୍ରୀ ଓ ଗାଳ୍ପିକ ଯୋଗ ଦେଇ ସ୍ଵରଚିତ ଅଣୁଗଳ୍ପ ଏବଂ କବିତା ପାଠ କରିଥିଲେ । ଏହି ଅବସରରେ ସଭାପତି ଡଃ. ରଥ କବି କବିତା ଏବଂ ଗଳ୍ପ ସଂପର୍କରେ ଆଲୋଚନା କରିବା ସହ ମଣିଷ ହୃଦୟର କଥା କହୁଥିବା ସାହିତ୍ୟ ହିଁ କାଳଜୟୀ ହୋଇଥାଏ ବୋଲି କହିଥିଲେ । ଏହାସହିତ ସମାଜର ବିଭିନ୍ନ ସମସ୍ୟା, ମଣିଷ ଜୀବନରେ ଘଟୁଥିବା ଘଟଣା, ଦୁର୍ଘଟଣା ତଥା ଜୀବନଧର୍ମୀ ସାହିତ୍ୟ ରଚନା କରିବା ପାଇଁ ସମସ୍ତ ଲେଖକ, କବିମାନଙ୍କୁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନର ସହସଂପାଦିକା ଦୀପ୍ତିରାଣୀ ସିଂହ ମଞ୍ଚ ପରିଚାଳନା କରିବା ସହିତ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ । ଏହି କବିତା ପାଠୋତ୍ସବରେ କବୟତ୍ରୀ ଲତିକା ମହାପାତ୍ର,ଗୋଲାପ ନନ୍ଦ, ଶୋଭାଗିନୀ ଦାସ, କଳ୍ପନା ବୋଇତି,ଅନୁପମା ପ୍ରଧାନ, କଳ୍ପନା ନାଏକ,ଝରଣା ବାରିକ,ଶୁଭଲକ୍ଷ୍ମୀ ଭଞ୍ଜ,ମମତାବାଳା ହୋତା,ଗୁଣନିଧ୍ୱ ସାମଲ,ସୁନୀଲ ସିଂ,ଋଷଭ ବେହେରା,ପ୍ରଣବ ଗଡ଼ନାୟକ,ବିଭୂତି ଭୂଷଣ ସ୍ୱାଇଁ,ଯଦୁମଣି ସାହୁ, ଜାନକୀ ଶତପଥୀ, ସୁଶୀଲ କୁମାର ପ୍ରଧାନ,ହରିହର ଭୁକ୍ତା, ଅରୁଣ ଗଡ଼ନାୟକ, ପ୍ରଶାନ୍ତ ଶତପଥୀ, ମାଗୁଣି ପ୍ରଧାନ,ଚନ୍ଦ୍ରବିଜୟୀ ମିଶ୍ର, କରୁଣାକର ବାଇଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ କବି କବିତା ଓ ମିନିଗଳ୍ପ ପାଠ କରିଥିଲେ । ତାଳଚେର ପୁସ୍ତକ ମେଳା କମିଟିର ସଂପାଦକ ବରିଷ୍ଠ ସାମ୍ବାଦିକ ଦେବୀ କିଶୋର ମିଶ୍ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ବର୍ଷରେ ଏହାକୁ ରାଜ୍ୟସ୍ତରୀୟ ସାହିତ୍ୟ ଆସର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।