ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ‘ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ’ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ଚଳିତବର୍ଷ ଲଗାଣ ବର୍ଷା ଓ ସରକାରୀ ଅବହେଳା ଯୋଗୁଁ ଚାଷୀମାନେ ସଠିକ୍ ସମୟରେ ବିହନ, ସାର ଓ କୃଷି ଉପକରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ବଜାରରେ କଳାବଜାରୀ ବଢିବା ସହ ଚାଷୀମାନେ ଚଢ଼ା ଦରରେ ସବୁକିଛି କିଣିବାକୁ ବାଧ୍ୟ ହେଉଛନ୍ତି। ଏହାସହ ଜଳସେଚନର ଅଭାବ, ବନ୍ୟଜନ୍ତୁ (ହାତୀ ଓ ମାଙ୍କଡ଼)ଙ୍କ ଉପଦ୍ରବ ଏବଂ କୃଷି ଜମିରେ ଖଣି ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି।
ତେଣୁ ସବସିଡ୍ରେ କୃଷି ସାମଗ୍ରୀ ଯୋଗାଡ଼, କଳାବଜାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା, ବନ୍ୟଜନ୍ତୁ ଆକ୍ରମଣର ସ୍ଥାୟୀ ପ୍ରତିକାର ସହ ୭ ଦିନ ଭିତରେ କ୍ଷତିପୂରଣ ଏବଂ କୃଷି ଜମିରେ ଶିଳ୍ପାୟନ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ବାସ୍ତବ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।