ମୁଖ୍ୟ ଖବର

ପୋଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ, ଲୋକେ ଆତଙ୍କିତ

By Angul TV Bureau

February 25, 2023

ଅନୁଗୁଳ: ଅନୁଗୁଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୋଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି। ସୂଚନା ମୁତାବକ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ। ହଠାତ ତାଙ୍କ ଜଙ୍ଘରେ କିଛି ଗରମ ଲୁହା ବାଜିଥିଲା। ସୁବାସ ଚମକି ଦେଖିବା ବେଳକୁ ଏହା ଏକ ବନ୍ଧୁକର ଗୁଳି ଥିଲା। ଏହି ଖବର ଗାଁରେ ପ୍ରଚାର ପରେ ଗାଁ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ପ୍ରକାଶ ଯେ, ଗତ ୨୦୨୦ ମସିହାରେ ଏଭଳି ଗୁଳି ଜଣେ ବୃଦ୍ଧାଙ୍କ ହାତରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ। ତେବେ ଆଜି ପୁଣି ଏଭଳି ଗୁଳି ପଡିବା ପରେ ଗାଁ ଲୋକ ଭୟଭୀତ ହୋଇ ପଡିଛନ୍ତି।

ସୂଚନା ଅନୁସାରେ ଶରଧାପୁ ଫାୟାରିଂ ରେଞ୍ଜରେ ଗତ ୩ଦିନ ଧରି ଗୁଳି ଚାଳନା ଅଭ୍ୟାସ ଚାଲିଛି। ଶନିବାର ଏକ ଗୁଳି ଯାଇ ସୁବାସ ସାହୁଙ୍କ ଜଙ୍ଘରେ ବାଜିଥିଲା। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ସୁବାଷଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭକରି ଗୁଳିକୁ ଜବତ କରିଛି। ବାରମ୍ବାର ଅନୁରୋଧ ପରେ ମଧ୍ୟ ପୋଲିସ ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ନିକଟରେ ଥିବା ଏହି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି। ଏ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରୀଜେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶ କରିଥିଲେ ଯେ, ସେଠାରେ ଦୀର୍ଘ ୬୦/୭୦ ବର୍ଷ ଧରି ଫାୟାରିଂ ରେଞ୍ଜ ରହିଛି। ସେଠାରେ କେବଳ ଛୋଟ ଅସ୍ତ୍ରରୁ ଫାୟାରିଂ ହୁଏ। ସେଥିରୁ ଏତେ ଦୁରକୁ ଗୁଳି ଯିବାକଥା ନୁହଁ। ତେବେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ପଠାଯିବ।