ମୁଖ୍ୟ ଖବର

ସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

By Angul TV Bureau

October 08, 2021

ଅନୁଗୁଳ: ବେଆଇନ୍ ସିମ୍ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ, ଅନୁଗୁଳ ସହର ରାଜକିଶୋରପଡ଼ାର ରଞ୍ଜନ ସାହୁ(୩୪), ହାକିମପଡ଼ାର ଦେବାଶିଷ ସାହୁ(୨୮) ଓ ରାଜକିଶୋରପଡ଼ାର ଦୁଷ୍ମନ୍ତ ସାହୁ। ପୁଲିସ୍‌ ସେମାନଙ୍କ ଠାରୁ ପୂର୍ବରୁ ଆକ୍ଟିଭେଟ୍ ହୋଇ ରହିଥିବା ୧୫ଟି ସିମ୍‌କାର୍ଡ ଜବତ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ମୁତାବକ,ସାଇବର ଠକଙ୍କୁ ସିମ୍ ଯୋଗାଉଥିବା ଅସାଧୁ ଦୋକାନିଙ୍କୁ ଧରିବା ପାଇଁ ଅନୁଗୁଳ ପୁଲିସ୍ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଥାନା ପୁଲିସ୍ ଗତ କିଛି ଦିନ ହେଲା ସହରର ବିଭିନ୍ନ ସିମ୍ ଦୋକାନ ଉପରେ ନଜର ରଖିଥିଲା। ତେବେ ବସଷ୍ଟାଣ୍ଡ୍‌ରେ ଦୋକାନ କରିଥିବା ରଞ୍ଜନ ସାହୁ ଓ କଲେଜ ଛକରେ ଦୋକାନ ଦେଇଥିବା ଦେବାଶିଷ ସାହୁ ଅବୈଧ ସିମ୍ ବିକ୍ରି କରୁଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ପରେ ପୁଲିସ୍ ସାଦା ପୋଷାକରେ ଗ୍ରାହକ ସାଜି ସିମ୍ କିଣିବାକୁ ଯାଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ପୁଲିସ୍ ଦେବାଶିଷଠାରୁ ପୂର୍ବରୁ ଆକ୍ଟିଭେଟ୍ ହୋଇଥିବା ୬ଟି ସିମ୍ ଜବତ କରିଥିଲା। ସେହିପରି ରଞ୍ଜନ ଠାରୁ ପୁଲିସ୍‌ ୯ଟି ଅବୈଧ ସିମ୍ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଏହି ୨ ଦୋକାନୀଙ୍କ ସିମ୍ କୁ ଆକ୍ଟିଭେଟ୍ କରିବାରେ ଦୁଷ୍ମନ୍ତ ସହାୟତା କରୁଥିବା ପୁଲିସ୍‌ କହିଛି। ଯେଉଁ ସିମ୍ ପାଇଁ ଗ୍ରାହକଙ୍କୁ ପ୍ରମାଣପତ୍ର ସହ ୩୫୦ଟଙ୍କା ଦେବାକୁ ପଡ଼ୁଥିଲା, ଅଭିଯୁକ୍ତ ବିନା ପ୍ରମାଣପତ୍ରରେ ୭୫୦ ଟଙ୍କାରେ ଯୋଗାଇ ଦେଉଥିଲେ। ସେହିପରି ୫୦ ଟଙ୍କାର ସିମ୍‌କୁ ୩୦୦ ଟଙ୍କାରେ ବିକ୍ରି କରି ଟଙ୍କା ରୋଜଗାରର ଗଳା ବାଟ ବାଛିଥିଲେ। ପୁଲିସ୍ ଅଭିଯୁକ୍ତଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଲୋକଙ୍କୁ ସଚେତନ ସହ ଅସାଧୁ ବ୍ୟବସାୟୀଙ୍କୁ ସାବାଡ୍ କରିବା ପାଇଁ କେବଳ ଅନୁଗୁଳ ନୁହଁ, ସାରା ରାଜ୍ୟରେ ପୁଲିସ୍ ଜୋରଦାର ଚଢ଼ାଉ ଚଳାଇଥିବା ଜଣାପଡ଼ିଛି ।