ମୁଖ୍ୟ ଖବର

ଛେଣ୍ଡିପଦାରେ ସିଙ୍ଗେରେନୀ କମ୍ପାନୀର ଖଣି ଖନନ ଆରମ୍ଭ

By Angul TV Bureau

April 17, 2025

ଅନୁଗୁଳ: ଭୂମି ପୂଜନ କରି ଖନନ କାର୍ଯ୍ୟ ଆରମ୍ଭ କରିଛି ସିଙ୍ଗେରେନୀ କମ୍ପାନୀ। ବୁଧବାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧୀନସ୍ଥ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଏହି ଖନନ ହୋଇଛି।

ନୟନୀ କୋଲ ବ୍ଲକରେ ତେଲେଙ୍ଗାନା ସରକାରଙ୍କର ମେସର୍ସ ଦି ‘ସିଙ୍ଗେରେନୀ’ କମ୍ପାନୀକୁ ୯୧୨.୭୯୯ ହେକ୍ଟର ଖୋଲା କୋଇଲା ଖଣି ପାଇଁ ସରକାରଙ୍କ ପକ୍ଷରୁ ୨୦୧୫ ଅଗଷ୍ଟ ୧୩ ରେ ଆବଣ୍ଟନ କରାଯାଇଛି। ଏହି କୋଇଲା ଖଣି ଅଞ୍ଚଳରେ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ମୌଜା, ଛେଣ୍ଡିପଦା ଆଦି ଗ୍ରାମ ରହିଛି। ଏହି କୋଇଲା ଖଣିରେ ୬୪୩ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୧୪୦ହେକ୍ଟର ରାଜସ୍ୱ ଜଙ୍ଗଲ ଜମି ରହିଛି। କୋଇଲା ଖଣି ପାଇଁ ପ୍ରଦୂଷଣ ବିଭାଗ ପକ୍ଷରୁ ଜନ ଶୁଣାଣି ସରିବା ସହିତ ୨୦୨୨ରେ ଖଣିକୁ ଷ୍ଟେଜ-୨ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ଜୁଲାଇ ୪ ତାରିଖରେ ଖଣି ପାଇଁ ୬୪୩ ହେକ୍ଟର ଜମି ହସ୍ତାନ୍ତର ପାଇଁ ଅନୁମୋଦନ ମିଳିଥିଲା। ଏହା ପରେ କମ୍ପାନୀ ପକ୍ଷରୁ ଜଙ୍ଗଲର ଲକ୍ଷ ଲକ୍ଷ ଗଛ କଟାଯିବା ପରେ ବୁଧବାର କୋଇଲା ଖନନ କାର୍ଯ୍ୟ ଆରମ୍ଭ ହୋଇଛି।

କୋଇଲା ଖଣିକୁ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁ ଭାଟ୍ଟୀ ବିକ୍ରମର୍କ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିବା ବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କମ୍ପାନୀର ସିଏମଡି ଏନ ବଳରାମ, ଡାଇରେକ୍ଟର ଅପରେସନ ଏନ ଭି କେ ଶ୍ରୀନିବାସ, ନାୟନୀ ଜୀଏମ ଟି ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ।