ଅନୁଗୋଳ: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଅନୁଗୋଳ ଜିଲ୍ଲାର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଲିକା ପ୍ରକାଶିତ ହୋଇଛି। ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇଛି।
ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ ୯,୧୯,୬୭୦ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ୪,୭୫,୫୦୪, ମହିଳା ୪,୪୪,୦୧୮ ଏବଂ ତୃତୀୟଲିଙ୍ଗୀ ୧୪୮ ଜଣ। ୧୮-୧୯ ବର୍ଷ ବୟସ୍କ ୯,୨୩୬ ଯୁବ ଭୋଟର, ୧୦,୯୮୫ ଦିବ୍ୟାଙ୍ଗ ଭୋଟର ଏବଂ ୮୫ ବର୍ଷରୁ ଊର୍ଦ୍ଧ୍ୱ ୬,୩୫୧ ବରିଷ୍ଠ ନାଗରିକ ରହିଛନ୍ତି। ଲିଙ୍ଗ ଅନୁପାତ ୯୩୪ ଏବଂ ଭୋଟର-ଜନସଂଖ୍ୟା ଅନୁପାତ ୬୪.୩୩ ପ୍ରତିଶତ ରହିଛି।ଚିଠା ତାଲିକାର ୯,୦୮,୮୭୫ ତୁଳନାରେ ଚୂଡ଼ାନ୍ତ ତାଲିକାରେ ୧୦,୭୯୫ ଭୋଟର ବୃଦ୍ଧି ପାଇଛନ୍ତି। ସଂଶୋଧନ ପ୍ରକ୍ରିୟାରେ ୧୧,୫୪୯ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୭୫୪ ଜଣଙ୍କ ନାମ ବାଦ ଦିଆଯାଇଛି ଏବଂ ୪,୨୭୩ଟି ଏଣ୍ଟ୍ରି ସଂଶୋଧନ କରାଯାଇଛି। SIR ପ୍ରକ୍ରିୟାରେ ୧,୫୫,୯୨୭ଟି ନୋଟିସ ଜାରି ହୋଇ ଶୁଣାଣି ସମାପ୍ତ ହୋଇଛି। ସେଥିମଧ୍ୟରୁ ୨୩୯ଟି ମାମଲା ଅଯୋଗ୍ୟ ବିବେଚିତ ହୋଇଛି।
ଜିଲ୍ଲାରେ ମତଦାନ କେନ୍ଦ୍ର ସଂଖ୍ୟା ୧,୧୬୩ରୁ ୧,୨୯୭କୁ ବୃଦ୍ଧି ପାଇଛି। ୧୩୫ଟି ନୂତନ କେନ୍ଦ୍ର ସୃଷ୍ଟି ହୋଇଥିବା ବେଳେ ୧ଟି ବାଦ ଦିଆଯାଇଛି। ଚୂଡ଼ାନ୍ତ ତାଲିକା ଇଆରଓ କାର୍ଯ୍ୟାଳୟ, ପୋଲିଂ ଷ୍ଟେସନ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ଅଛି। ନାଗରିକମାନଙ୍କୁ ନିଜ ନାମ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।