ମୁଖ୍ୟ ଖବର

“ଶିଶୁଙ୍କ ପାଇଁ ଦିନଟିଏ” ସମୀକ୍ଷା ବୈଠକ: ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ନେଇ ଆଲୋଚନା

By Angul TV Bureau

June 26, 2024

ଅନୁଗୁଳ: “ଶିଶୁଙ୍କ ପାଇଁ ଦିନଟିଏ” ଶୀର୍ଷକକୁ ନେଇଛି ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ ଶିଶୁଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ।

ବୈଠକରେ ଜୁଭେନାଇଲ ଅନ୍ତେବାସୀଙ୍କୁ ଦିଆଯାଉଥିବା ସୁବିଧା, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଆଶୀର୍ବାଦ ଯୋଜନା, ବେଟି ବଚାଓ ବେଟି ପଢାଓ ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ଊଚ୍ଛଳ ବାଳାଶ୍ରମ, ଶିଶୁ ଶ୍ରମିକ ରୋକିବା, ବାଲ୍ୟ ବିବାହ ଇତ୍ୟାଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଏ ଅବସରରେ ଜିଲ୍ଲାରେ ୧୮୪ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ହିସାବରେ ଘୋଷଣା କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକଙ୍କ ସମେତ ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ଶିଶୁ ମଙ୍ଗଳ କମିଟିର ସଦସ୍ୟ, ପୋଲିସ ଅଧିକାରୀ ଓ ଶ୍ରମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।