ଅନୁଗୋଳ: ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ମାଣିକିଯୋଡ଼ି ପଞ୍ଚାୟତରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସିଟିକୋଇଲି-କନ୍ଧକୋଇଲି ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ଏହି ଦୁଇ ଆଦିବାସୀ ବହୁଳ ଗ୍ରାମର ପ୍ରାୟ ୫ ଶହ ପରିବାର ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।
ରାସ୍ତାଟି ଏପରି ଭାବେ କ୍ଷତିଗ୍ରସ୍ତ ହୋଇଛି ଯେ, ଗାଡ଼ି ମଟର ତ ଦୂରର କଥା, ଚାଲି ଚାଲି ଯିବା ମଧ୍ୟ ବିପଦଜନକ ହୋଇପଡ଼ିଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସ୍ୱାସ୍ଥ୍ୟ ସେବା ଏବଂ ଜୀବନଜୀବିକା ପାଇଁ ସହରକୁ ଯିବା ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଏନେଇ ୱାର୍ଡ ମେମ୍ବର ଭୁବନ ଭୋଇ, ପ୍ରଦୀପ ଦେହୁରୀ, ବୈରାଗୀ ଭୋଇ, ପ୍ରଫୁଲ ଦେହୁରୀ, ପ୍ରକାଶ ଚିରଗୁଣୀ, କୁମୁଦ ଦେହୁରୀ ଓ ସୁରେଷ ଷଣ୍ଡ ପ୍ରମୁଖ ଆଠମଲ୍ଲିକ ବିଧାୟକ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ଭେଟି ଅବଗତ କରାଇଛନ୍ତି। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତର ସହ ନେଇ ବିଧାୟକ ଶ୍ରୀ ପ୍ରଧାନ ତୁରନ୍ତ ରାସ୍ତା ମରାମତି ପାଇଁ ଅନୁଗୁଳ ଜିଲ୍ଲାପାଳ ଓ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ କେବେ ଏହି ରାସ୍ତା କାମ ଆରମ୍ଭ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି।