ଘଟଣା ଓ ଦୁର୍ଘଟଣା

ଚୋର ଛୁ’, ଫସିଲେ ଖରିଦଦାର: ଚୋରି ଗହଣା କିଣିବା ଅଭିଯୋଗରେ ୬ ଗିରଫ

By Angul TV Bureau

February 26, 2025

ଅନୁଗୁଳ: ଖସିଗଲା ଚୋରି କରିଥିବା ଯୁବକ, କିନ୍ତୁ ଫସିଗଲା ଖରିଦଦାର୍। ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏଭଳି ଏକ ବିଚିତ୍ର ଘଟଣା ଚର୍ଚ୍ଚାରେ ରହିଛି। ଚୋର ଛୁ’ ମାରିଥିବା ବେଳେ ଚୋରି ଜିନିଷ କିଣିଥିବା ୬ ଜଣଙ୍କୁ ବନ୍ତଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବନ୍ତଳା ଥାନା ବସଲା ପଞ୍ଚାୟତ ଅନ୍ତର୍ଗତ କାଳୀମନ୍ଦିର ସାହିର ବାସିନ୍ଦା ଗଣେଶ୍ୱର ପାତ୍ର(୪୨) ଗତ ଜାନୁଆରୀ ୨୯ରେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୬ ଦିନ ରହିବା ପରେ ସେ ଘରକୁ ଫେରିଥିଲେ। ତେବେ ତାଙ୍କ ଘରୁ ସୁନା ଜିନିଷ ଚୋରି ହୋଇଥିବା ନେଇ ସେ ରବିବାର ଜାଣିବାକୁ ପାଇଥିଲେ। ଏକ କାର୍ଯ୍ୟକ୍ରମକୁ ଯିବା ବେଳେ ଗହଣା ବକ୍ସ ଦେଖିବା ବେଳକୁ ୨ଟି ସୁନା କାନଫୁଲ, ୨ ମୁଦି, ନାକଗୁଣା, କାନପେଣ୍ଡି ନଥିବା ଦେଖିଥିଲେ। ଏ ନେଇ ସେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ସହଯୋଗରେ ପୋଲିସ ଘଟଣାର ଖୁଲାସା କରିଛି।

ଜଣେ ନାବାଳକ ବଲାସିଙ୍ଗାର ସିପୁ ସାହୁଙ୍କୁ ଚୋରି କାନ ଫୁଲ ବିକ୍ରି କରିବାକୁ ଦେଇଥିଲେ। ପରେ ସରପଞ୍ଚଙ୍କ ସହ ସିପୁ ଯୋଗାଯୋଗ କରିଥିଲା ଓ ଚୋରି ଜିନିଷ କିଏ ଆଣିକି ଦେଇଛି ସେ ନେଇ କହିଥିଲା। ପରେ ପୋଲିସ ଚୋରି ଜିନିଷ ସିପୁଙ୍କୁ ଦେଇଥିବା ଜଣେ ନାବାଳକକୁ କାବୁ କରିବା ପରେ ଚୋରିରେ ଅନ୍ୟ ୫ଜଣ ନାବାଳକ ସାମିଲ ଥିବା କହିଥିଲା। ପୋଲିସ ସମ୍ପୂର୍ଣ୍ଣ ସୁନା ଅଳଙ୍କାର ଜବତ କରିଥିବା ବେଳେ ଗହଣା କିଣିଥିବା ଏବଂ ବିକ୍ରିରେ ସାମିଲ ଥିବା ପାପୁନ ସେଠି(୨୮), ସନ୍ଦୀପ ବେହେରା(୨୮), ସିପୁ ସାହୁ(୨୪), ଶିବ ବେହେରା(୨୮), ଜୟନ୍ତ ପାତ୍ର ଓ ଅନ୍ୟଜଣେ ବଣିଆକୁ ଗିରଫ କରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚୋରି କରିଥିବା ନାବାଳକଙ୍କୁ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।