ମୁଖ୍ୟ ଖବର

ଡେରଙ୍ଗରୁ ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳକୁ ୬ ଖେଳାଳି ମନୋନୀତ

By Angul TV Bureau

August 07, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଫୁଟବଲ୍ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର ‘ୟଙ୍ଗ ଟାଲେଣ୍ଟ ଫୁଟବଲ୍ କ୍ଲବ୍’ରୁ ପ୍ରଥମ ଥର ପାଇଁ ଏକାସାଙ୍ଗରେ ୬ ଜଣ ଖେଳାଳି ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳ ପାଇଁ ମନୋନୀତ ହୋଇଛନ୍ତି।

ଚୟନିତ ଖେଳାଳିମାନେ ହେଲେ ଆଦିତ୍ୟ ଦେହୁରୀ, ସୁମନ୍ତ ଦେହୁରୀ, ଅରବିନ୍ଦ ଦେହୁରୀ, ଶ୍ରବଣ ଦେହୁରୀ, ବ୍ରହ୍ମା ଦେହୁରୀ ଓ ଆଣ୍ଡ୍ରିଉ ଦେହୁରୀ। ଅନୁଗୋଳ ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ସେମାନଙ୍କୁ ଚୟନ ଶିବିର ପାଇଁ ଡକାଯାଇଛି। ଏହି ଶିବିରରେ ସଫଳ ହେଲେ ସେମାନେ ଚଳିତ ମାସରେ ଅନୁଗୋଳରେ ହେବାକୁ ଥିବା ଜିନ୍ଦଲ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜିଲ୍ଲା ଦଳରୁ ପ୍ରତିନିଧିତ୍ୱ କରିବେ।

ଏହି ସଫଳତା ପାଇଁ କ୍ଲବ୍ କର୍ମକର୍ତ୍ତାମାନେ ଖେଳାଳିମାନଙ୍କୁ ନୂତନ ଜର୍ସି ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ଏକାସାଙ୍ଗରେ ୬ ଜଣ ଖେଳାଳି ଜିଲ୍ଲା ଦଳକୁ ମନୋନୀତ ହେବାକୁ ନେଇ ସମଗ୍ର କଣିହାଁ ବ୍ଲକ ଓ ଡେରଙ୍ଗ ଗ୍ରାମରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। କ୍ରୀଡ଼ାପ୍ରେମୀ ଓ ବିଭିନ୍ନ ମହଲରୁ ଖେଳାଳିଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।