ଅନୁଗୁଳ: ରୋଡ ରୋମିଓଙ୍କୁ ଆଉ ନିସ୍ତାର ନାହିଁ। ରାସ୍ତାରେ ଯୁବତୀଙ୍କୁ କମେଣ୍ଟ କରୁଥିବା ୬ ଜଣ ରୋଡ୍ ରୋମିଓଙ୍କୁ ଆଜି ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ପୋଲିସ ଉଠାଇ ନେଇଛି।
ସୂଚନା ମୁତାବକ, ଆଜି ବିଳମ୍ବିତ ରାତିରେ ଅନୁଗୁଳ ଶଙ୍କର ସିନେମା ରୋଡ୍ରେ ଦୁଇଟି ବାଇକ୍ରେ ୬ ଜଣ ଯୁବକ ସ୍ପିଡରେ ଆସି ରାସ୍ତାରେ ଯାଉଥିବା ଯୁବତୀମାନଙ୍କୁ କମେଣ୍ଟ କରୁଥିଲେ। ବିଭିନ୍ନ ଦୋକାନ ଓ ମଲ୍ରେ କାମ ସାରି ଫେରୁଥିବା ଯୁବତୀଙ୍କୁ ଟାର୍ଗେଟ୍ କରି ଅସଭ୍ୟ ଭାଷା କହିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବକଙ୍କ ଉତ୍ପାତ ଦେଖି ଜଣେ ଯୁବତୀ ଜୀବନ ବିକଳରେ ଚିତ୍କାର କରିଥିଲେ।
ପାଟି ଶୁଣି ସେହି ସ୍ଥାନରେ ସାଦା ପୋଷାକରେ ଥିବା ପୋଲିସ ଏହି ରୋଡ୍ ରୋମିଓଙ୍କୁ ଅଟକାଇଥିଲା। ସେମାନେ ପୋଲିସଙ୍କୁ ବି ଦୁର୍ବ୍ୟବହାର କରିଥିଲେ। ପରେ ପୋଲିସ ତାଙ୍କୁ ନିର୍ଦ୍ଧୁମ୍ ଛେଚିବା ସହ ଥାନାକୁ ଆଣିଥିବା ଜଣାପଡ଼ିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ କୌଣସି ମାମଲା ହୋଇନଥିବା ଜଣାଯାଇଛି।
ଅନ୍ୟପଟେ ଏହି ରାସ୍ତାରେ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ଦାବି ହୋଇଛି।