ମୁଖ୍ୟ ଖବର

ଶନିଦେବଙ୍କ ପୂଜା ବେଳେ ବଜ୍ରପାତ, ୬ ମହିଳା ଗୁରୁତର

By Biswaranjan Pattnaik

May 11, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ବାଲି ସାହି ଠାରେ ଶନିଦେବଙ୍କ ପୂଜା କରୁଥିବା ବେଳେ ବଜ୍ରପାତରେ ୬ ଜଣ ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନି ଦେବଙ୍କର ପୂଜା କରାଯାଉଛି। ବଲାସିଂହା ଗ୍ରାମର ବାଲି ସାହି ଅଞ୍ଚଳରେ ଏକ ଅଶ୍ଵତ୍ଥ ଗଛ ନିକଟରେ ଥିବା ଶନି ଦେବଙ୍କର ପାଖରେ ୩୦ ରୁ ଊର୍ଦ୍ଧ୍ଵ ମହିଳା ପୂଜା କରୁଥିଲେ। ଦିନ ଦୁଇଟା ବେଳେ ଅନୁଗୁଳ ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ମାରିଥିଲା। ଫଳରେ ୬ ଜଣ ମହିଳା ଗୁରୁତର ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତରମାନେ ହେଲେ ଝରଣା ବାରିକ (୩୦), ସାଗରିକା ସାହୁ (୨୫), ଡଲି ସାହୁ (୨୫), ସସ୍ମିତା ବାରିକ (୩୦), ଚିଲୀ ସାହୁ (୩୫), ସୁମିତ୍ରା ଦାସ (୩୦)। ୬ ଗୁରୁତରଙ୍କ କାନକୁ ଭଲ ଭାବେ ଶୁଭା ଯାଉ ନଥିବା କହିଛନ୍ତି।

ଗୁରୁତର ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ଭିଡ଼ ଜମିଥିଲା। ନେତା ମାନେ ପହଞ୍ଚି ରୋଗୀଙ୍କ ଭଲମନ୍ଦ ବୁଝିବା ସହ ଆମ୍ବୁଲାନ୍ସ ଡକାଇ କଟକ ପଠାଇବାର ବ୍ୟବସ୍ଥା କରିଥିଲେ। ଏହାଛଡା ଘରେ ରୋଷେଇ କରୁଥିବା ବେଳେ ଆଉ ଦୁଇଜଣ ମହିଳା ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି।ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।