ମୁଖ୍ୟ ଖବର

ଅନୁଗୁଳ ବନାଞ୍ଚଳରୁ ହାତୀର ଗଳିତ କଙ୍କାଳ ଉଦ୍ଧାର, ରୋଗରେ ପଡ଼ି ଦୁଇ ମାସ ତଳୁ ମରିଥିବା ସନ୍ଦେହ

By Angul TV Bureau

April 03, 2024

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ସେକ୍ସନରେ ଏକ ମାଈହାତୀର ଗଳିତ କଙ୍କାଳ ଠାବ ହୋଇଛି। ଖବର ପାଇ ବନ ବିଭାଗର ଅଧିକାରୀଙ୍କ ସମେତ ଜେଟିଏଫ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ସେକ୍ସନ ପୁରୁଣାଗଡ଼ ଉତ୍ତର ବିଟ ନିକଟ କଳାପାଟ ଠାକୁରାଣୀଙ୍କ ପୀଠ ନିକଟରୁ ଏହି ହାତୀର ଗଳିତ ଶବ ଉଦ୍ଧାର ହୋଇଛି। ହାତୀଟି ପ୍ରାୟ ୨ ମାସରୁ ଅଧିକ ସମୟ ଧରି ମରି ପଡ଼ିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ହାତୀର କଙ୍କାଳ ସହ ଚମଡ଼ା ପଡିଛି। ଘଟଣାସ୍ଥଳରେ ଅନୁଗୁଳ ବନାଞ୍ଚଳ ଅଧିକାରୀ ହରମୋହନ ନାୟକ, ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ସମେତ ଅଧିକ ତଦନ୍ତ ପାଇଁ ରାଜ୍ୟସ୍ତରୀୟ ଜେଟିଏଫ ଦଳ ପହଞ୍ଚିଛନ୍ତି। ସାତକୋଶିଆ ପ୍ରାଣୀ ଡାକ୍ତରଙ୍କ ସମେତ ଅନୁଗୁଳ ଓ ବନ୍ତଳା ପ୍ରାଣୀ ଡାକ୍ତର ପହଞ୍ଚି ଶବ ବ୍ୟବଚ୍ଛେଦ ପରେ କଙ୍କାଳକୁ ଉକ୍ତ ସ୍ଥାନରେ ପୋତିଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ମାଈ ହାତୀଟିର ବୟସ ୨୨ ବର୍ଷ ହେବ ବୋଲି ଜଣାପଡ଼ିଥିବା ବେଳେ ରୋଗରେ ପଡି ମରିଥିବା ସନ୍ଦେହ କରାଯାଉଥିବା ନେଇ ବନ ବିଭାଗ କହିଛି।