ମୁଖ୍ୟ ଖବର

ସ୍ମାର୍ଟ ସିଟି ଆମର ହକ୍: ନଗର କଂଗ୍ରେସ

By Biswaranjan Pattnaik

August 27, 2026

ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ସମସ୍ୟା ନେଇ ନଗର କଂଗ୍ରେସ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମଳନୀ ଆୟୋଜିତ ହୋଇଥିଲା। କଂଗ୍ରେସ ଭବନରେ ଆୟୋଜିତ ଏହି ସମ୍ମିଳନୀରେ ଡିସିସି ସଭାପତି ସୁନୀଲ କୁମାର ପ୍ରଧାନ, ନଗର କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ସାହୁ, ଆଇନ ପରାମର୍ଶଦାତା ଗୋପାଳ ନାଥଙ୍କ ସମେତ ପ୍ରତାପ କୁମାର ସେଠୀ ଏବଂ ସୁଶୀଲ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ସାହୁ କହିଲେ କି ଅନୁଗୋଳକୁ ଆଜି ଯାଏ ସ୍ମାର୍ଟ ସିଟି କରାଯାଇ ପାରିଲା ନାହିଁ। କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ୍ ଭାବେ ହେଉନାହିଁ। ସହରରେ ମଶା ତେଲ, ବ୍ଲିଚିଂ ପାଉଡର ଆଦୌ ପଡୁନାହିଁ। ଭେଣ୍ଡିଂ ଜୋନ୍ ରେ ଘର ଦିଆଯାଉନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଉପଯୁକ୍ତ ଲୋକଙ୍କୁ ଦିଆଯାଉନାହିଁ। ବିଲ୍ଡିଙ୍ଗ ପ୍ଲାନ୍ ଅନୁମୋଦନରେ ଦୁର୍ନୀତି ହେଉଛି।

ତେବେ ଏଥିନେଇ ଆମେ ଅନୁଗୋଳ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ପ୍ରତିକ୍ରିୟା ଲୋଡ଼ିଥିଲୁ।ସେ କହିଥିଲେ। ପଞ୍ଚମହଲାରେ ୩ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ତରଳ ମଳ ପରିଚାଳନା କେନ୍ଦ୍ର ଏବଂ ୮୯ ଲକ୍ଷ ଟଙ୍କା ବ୍ୟୟରେ ଏକ ଲିଗାସି ୱେଷ୍ଟ ପରିଚାଳନା କେନ୍ଦ୍ର ଖୋଲିବାକୁ ଯାଉଛି ଯାହାର କାମ ଆରମ୍ଭ ମଧ୍ୟ ହେଲାଣି। ମଶା ତେଲ ବ୍ଲିଚିଂ ନିୟମିତ ବ୍ୟବଧାନରେ ପଡ଼େ। ସାତ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ତାର ପ୍ରଭାବ ଥାଏ। ଉଠା ଦୋକାନୀଙ୍କ ମଧ୍ୟରେ କିଏ ପ୍ରକୃତ ହିତାଧିକାରୀ ଆଉ କିଏ ଦଲାଲ ତାହାକୁ ଚିହ୍ନଟ କରିବା ପ୍ରକ୍ରିୟାରେ ବିଳମ୍ବ ହେତୁ ଦେବାରେ ଡେରି ହୋଇଛି। ଖୁବ୍ ଶୀଘ୍ର ଏହାର ବଣ୍ଟନ କରାଯିବ।ଆବାସ ଯୋଜନା କିମ୍ବା ବିଲ୍ଡିଙ୍ଗ ପ୍ଲାନ୍ ଦୁର୍ନୀତି ନେଇ କୌଣସି ଖବର ଆସି ନାହିଁ। ଆସିଲେ ତଦନ୍ତ ହେବ। ଅନ୍ୟପକ୍ଷରେ ଅନୁଗୋଳ ସହରର ବିକାଶ ପାଇଁ ବହୁ ପଦକ୍ଷେପ ନିଆ ଯାଇଛି।