ମୁଖ୍ୟ ଖବର

ସ୍ମାର୍ଟ ଚୋର! ନିଜକୁ ସିବିଆଇ ଅଧିକାରୀ କହି ୫୦ ଗ୍ରାମ ସୁନା ଅଳଙ୍କାର ଲୁଟ୍

By Angul TV Bureau

August 07, 2025

ଅନୁଗୁଳ: ନିଜକୁ ସିବିଆଇ ଅଧିକାରୀ କହି ଲୁଟ। ସୁନା ଅଳଙ୍କାର ଠକି ନେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳରୁ ସାମ୍ନାକୁ ଆସିଛି ଏଭଳି ଖବର।ସୂଚନା ମୁତାବକ, ହୁଲୁରିସିଂହାର କ୍ଷୀରୋଦ ପ୍ରଧାନ(୫୫) ଗୁରୁବାର ଦିନ ସାଢ଼େ ୧୧ଟା ବେଳକୁ ବଜାରରେ କାମ ସାରି ଘରକୁ ଫେରୁଥିବା ସମୟରେ ହରିମହୁରୀ ଛକ ନିକଟରେ ତାଙ୍କୁ ୨ ଜଣ ଅଜଣା ଲୋକ ଅଟକାଇଥିଲେ। ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ନିଜ ପରିଚୟପତ୍ର ଦେଖାଇଥିଲେ। ସେମାନେ ପୋଲିସ ପରି ପୋଷାକ ପିନ୍ଧିଥିବାରୁ କ୍ଷୀରୋଦ ବି ସେମାନଙ୍କୁ ବିଶ୍ବାସ କରିଥିଲେ। ପରେ ସେମାନେ କ୍ଷୀରୋଦଙ୍କୁ ପିନ୍ଧିଥିବା ସୁନା ଅଳଙ୍କାର ଖୋଲି ଗାଡ଼ି ଭିତରେ ରଖିବା ପାଇଁ କହିଥିଲେ। ତାଙ୍କ କଥା ଅନୁସାରେ, କ୍ଷୀରୋଦ ପିନ୍ଧିଥିବା ୩୦ ଗ୍ରାମ୍‌ର ସୁନା ଚେନ, ୨୦ ଗ୍ରାମ୍‌ର ସୁନାମୁଦି ଖୋଲି ସେମାନଙ୍କ ହାତକୁ ବଢ଼ାଇ ଦେଇଥିଲେ। ସେମାନେ ଏକ କାଗଜ ପ୍ୟାକେଟ୍‌ରେ ଏହାକୁ ଭର୍ତ୍ତି କରି କ୍ଷୀରୋଦଙ୍କ ଗାଡ଼ି ଡିକିରେ ରଖି ଦେଇଥିଲେ। ‌ହେଲେ ଘରେ ଆସି ଦେଖିଲା ବେଳକୁ କାଗଜ ପ୍ୟାକେଟ୍‌ରେ ୪ ଖଣ୍ଡ ଛୋଟ ଛୋଟ ପଥର ରହିଥିଲା।

ଏଣୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।