ପ୍ରତିଭା ଓ ବ୍ୟକ୍ତିତ୍ୱ

ସ୍ନେହାଲ ବରାଳଙ୍କୁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍

By Angul TV Bureau

September 12, 2025

ତାଳଚେର: ଓଡ଼ିଶାର ଅନ୍ୟତମ ପ୍ରତିଭାମୟୀ ବାଳିକା ସ୍ନେହାଲ ବରାଳ ନିଜର ବିଚକ୍ଷଣତା ଓ ସର୍ଜନଶୀଳତା ପାଇଁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍ ଲାଭ କରିଛନ୍ତି। ଏହା ସହ ସେ ବିଶ୍ୱର ପ୍ରଥମ ଅସାଧାରଣ ଶିଶୁ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି।

ଅନୁଗୁଳ ଜିଲ୍ଲା ତାଳଚେରର ଡିଏଭି ପବ୍ଲିକ୍ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ୧୨ ବର୍ଷୀୟ ସ୍ନେହାଲ ଇଂରାଜୀରେ ନିଜର ଦ୍ୱିତୀୟ ସ୍ୱରଚିତ ପୁସ୍ତକ “ଦ ଟ୍ରାଇବ୍ସ୍ ଆଓ୍ୱାର୍ ପ୍ରାଇଡ୍” ପ୍ରକାଶ ପାଇବା ପାଇଁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ପ୍ରତିବର୍ଷ ୧୫ ବର୍ଷ ବୟସ ସୀମା ମଧ୍ୟରେ ବିଚକ୍ଷଣ ଶିଶୁମାନଙ୍କୁ ଦୃଷ୍ଟାନ୍ତମୂଳକ ସର୍ଜନଶୀଳତା ପାଇଁ ପ୍ରଦାନ ହେଉଥିବା ଏହି ପୁରସ୍କାର ଭାରତ ସରକାର, ସିଙ୍ଗାପୁରର ରାଷ୍ଟ୍ରପତି, ସବୁଜ ମାନବ ଡକ୍ଟର୍ କେ. ଅବ୍ଦୁଲ୍ ଘନୀ, ଅସ୍କାର୍ ବିଜେତା ଏ. ଆର. ରହମାନ, ନୋବେଲ୍ ବିଜେତା କୈଳାଶ ସତ୍ୟାର୍ଥୀ, କିରଣ ବେଦୀ ସହ ଭାରତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗରେ ଯୋଗାଯୋଗ କରାଯାଏ।

ପିତା ସୁଶୀଲ କୁମାର ବରାଳ ଓ ମାତା ସୌଭାଗ୍ୟନୀ ଭୋଇଁଙ୍କ ସୁଯୋଗ୍ୟା କନ୍ୟା ସ୍ନେହାଲ ପୂର୍ବରୁ “ମିରାକଲ୍ସ୍ ଅଫ୍ ଜଗନ୍ନାଥ” ପୁସ୍ତକ ଲେଖି ଚର୍ଚ୍ଚିତ ହୋଇଥିଲେ ଏବଂ ସର୍ବକନିଷ୍ଠ ଲେଖକ ଭାବେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ୍ସ୍‌ରେ ସ୍ଥାନ ପାଇଛନ୍ତି। ସେ ଗଳ୍ପ, କବିତା, ପ୍ରବନ୍ଧ, କ୍ରୀଡ଼ା, ଚିତ୍ରାଙ୍କନ ଓ ବକ୍ତୃତାରେ ନିଜର ପ୍ରତିଭା ପ୍ରକାଶ କରି ବିଦ୍ୟାଳୟ, ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ଲାଭ କରିଛନ୍ତି।