ଅନୁଗୋଳ: ଏନ୍ଆଇଟି ରାଉରକେଲାର ଏକ ଗବେଷକ ଟିମ୍ ସୌରଚାଳିତ ଇଭି ଚାର୍ଜିଂ ସିଷ୍ଟମର ନୂଆ ମଡେଲ ପ୍ରସ୍ତୁତ କରିଛନ୍ତି। ଏଥିରେ ସୋଲାର ମାଇକ୍ରୋଗ୍ରୀଡ୍, ଇଭି ଚାର୍ଜିଂ ଷ୍ଟେସନ୍ ଓ ସୁପର କାପାସିଟର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଦ୍ରୁତ ବ୍ୟାଟେରୀ ଚାର୍ଜିଂ ସହ ଅଧିକ ଦକ୍ଷ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ବ୍ୟବସ୍ଥା ସମ୍ଭବ ହୋଇପାରିବ। ଏହି ମଡେଲକୁ ଏନ୍ଆଇଟି ପକ୍ଷରୁ ପେଟେଣ୍ଟ ମଧ୍ୟ କରାଯାଇଛି।
ପ୍ରଫେସର ପ୍ରଭାତ କୁମାର ରାୟ, ଆସୋସିଏଟ୍ ପ୍ରଫେସର ଡା. ଅର୍ଣ୍ଣବ ଘୋଷ ଓ ଗବେଷିକା ଡା. ଅନିନ୍ଦ୍ୟା ଭାରତୀ ଏହି ମଡେଲ ପ୍ରସ୍ତୁତ କରିଛନ୍ତି। ତେବେ ଏହି ସଫଳତାରେ ଅନୁଗୋଳ ଜିଲ୍ଲାର ରାଣୀଗୋଡ଼ା ଗ୍ରାମର ଝିଅ ଡା. ଅନିନ୍ଦ୍ୟା ଭାରତୀଙ୍କ ଅବଦାନ ରହିଛି। ସେ ଅନୁଗୋଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ରୀ ଏବଂ ଏନ୍ଆଇଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପିଏଚ୍ଡି ହାସଲ କରିଛନ୍ତି। ତାଙ୍କ ବାପା ଅଶ୍ୱିନୀ କୁମାର ବେହେରା ଜଣେ ବରିଷ୍ଠ ଆଇନଜୀବୀ ଓ ମାଆ ଗୀତାଞ୍ଜଳି ଜଣେ ଗୃହିଣୀ। ଏହି ସଫଳତା ପାଇଁ ଡା. ଅନିନ୍ଦ୍ୟାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।