ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩-୨୪ର ଫଳାଫଳ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନାଲକୋନଗରର ସରସ୍ୱତୀ ବିଦ୍ୟା ମନ୍ଦିର (ଏସଭିଏମ)ର ପୂର୍ବତନ ଛାତ୍ର ସୋମିତ କୁମାର ସେଠ ଅଣସଂରକ୍ଷିତ ସାଧାରଣ ବର୍ଗରେ ୧୮୩ତମ ରାଙ୍କ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି।
ସୋମିତଙ୍କ ଏହି କୃତିତ୍ୱ ଷଷ୍ଠ ଥର ଉଦ୍ୟମରେ ମିଳିଛି, ଯାହା ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠାକୁ ପ୍ରତିଫଳିତ କରୁଛି। ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ନାଲକୋନଗରସ୍ଥିତ ଏସଭିଏମରେ ପାଠପଢ଼ା ଆରମ୍ଭ କରି ୨୦୦୮ରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ-ଦୁଇ (+୨) ପରୀକ୍ଷାରେ ସଫଳତା ହାସଲ କରିଥିଲେ। ୨୦୧୪ରେ ସେ କୃପାଜଲ ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଓସିଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ସୋମିତଙ୍କ ମାତା ସରୋଜିନୀ ସେଠ ପ୍ରକାଶ କରିଛନ୍ତି ଯେ, ସୋମିତ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଅଧ୍ୟୟନ କରି, ନିଜର ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏହି ସଫଳତା ଅର୍ଜନ କରିଛନ୍ତି। ସୋମିତଙ୍କ ପିତା ସ୍ୱର୍ଗତ ଅଦ୍ୱୈତ କୁମାର ସେଠଙ୍କର ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ ହେଉଛି ତାଙ୍କର ମୂଳ ଗ୍ରାମ। ତାଙ୍କ ମାତା ସରୋଜିନୀ ଜଣେ ଗୃହିଣୀ ଅଟନ୍ତି।
ଏହି ସଫଳତା ପାଇଁ ସୋମିତଙ୍କୁ ନାଲକୋନଗର ସମେତ ଅନୁଗୁଳ ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି କୃତିତ୍ୱ ଅଞ୍ଚଳର ଯୁବପିଢ଼ି ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସାଜିଛି। ସ୍ଥାନୀୟ ଲୋକେ ସୋମିତଙ୍କୁ ଅନୁଗୁଳ ଜିଲ୍ଲାର ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାବେ ଗଣାଯାଉଛନ୍ତି, ଯିଏ ନିଜର ଅଧ୍ୟବସାୟ ଓ ଲକ୍ଷ୍ୟସ୍ଥିରତା ବଳରେ ଏହି ମାନସମ୍ମାନ ହାସଲ କରିଛନ୍ତି।