ମୁଖ୍ୟ ଖବର

ନିଶା ପାଇଁ ମା’ର ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇଲା ପୁଅ, କୋର୍ଟଚାଲାଣ କଲା ପୋଲିସ

By Angul TV Bureau

June 24, 2026

ଅନୁଗୋଳ: ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ର ହାତ ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ଦେଲା ପୁଅ। ଅନୁଗୋଳ ସହର ଉପକଣ୍ଠର ଏକ ଆଶ୍ରମରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି।ସୂଚନା ଅନୁଯାୟୀ, ପୁଅ ପ୍ରତାପ ନାଥର ନିଶାସକ୍ତ ଅବସ୍ଥାରେ ନିର୍ଯାତନା ଅସହ୍ୟ ହେବାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ପାଞ୍ଚାଳି ନାଥ ଘର ଛାଡ଼ି ଅନୁଗୋଳର ଏକ ଆଶ୍ରମରେ ଆଶ୍ରୟ ନେଉଥିଲେ। ମଙ୍ଗଳବାର ଦିନ ପ୍ରତାପ ସେଠାରେ ପହଞ୍ଚି ମା’ଙ୍କୁ ନିଶା ପାଇଁ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ପ୍ରତାପ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ତାଙ୍କୁ ମାଡ଼ ମାରିଥିଲା। ଏତିକିରେ ମନ ନ ବୁଝିବାରୁ ସେ ମା’ଙ୍କ ହାତର ଆଙ୍ଗୁଠିକୁ ଜୋରରେ କାମୁଡ଼ି ଛିଣ୍ଡାଇ ଦେଇଛି।

ବୃଦ୍ଧାଙ୍କ ଚିତ୍କାର ଶୁଣି ଆଶ୍ରମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ଅନୁଗୋଳ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୋଲିସ ଅଭିଯୁକ୍ତ ପ୍ରତାପ ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।