ଅନୁଗୋଳ: ବାପାଙ୍କ ମୃତ୍ୟୁର ଦୁଃଖ ମନରୁ ଲିଭି ନଥିବା ବେଳେ ଅନ୍ତିମ ସଂସ୍କାର ପରେ ପୁଅର ମଧ୍ୟ ମୃତ୍ୟୁ। ମାତ୍ର ୨୪ ଘଣ୍ଟା ମଧ୍ୟରେ ପରିବାରର ଦୁଇ ଜଣଙ୍କୁ ହରାଇବା ଘଟଣା ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗାଁର ନରହରି ସାହୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଆଖି ବୁଜିଥିଲେ। ପରେ ତାଙ୍କ ମୃତଦେହ ଗାଁକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।
ହେଲେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ତାଙ୍କ ୧୫ ବର୍ଷୀୟ ପୁଅ ଆଦିତ୍ୟ ସାହୁ ସମ୍ପର୍କୀୟଙ୍କ ସହ ଗାଁର ଅମୃତ ସରୋବର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ।
ଆଦିତ୍ୟ ଦଶମ ଶ୍ରେଣୀର ଛାତ୍ର ଥିଲେ। ବାପାଙ୍କ ମୃତ୍ୟୁର ଦୁଃଖ ମଧ୍ୟରେ ନାବାଳକ ପୁଅର ଏଭଳି ଅକାଳ ବିୟୋଗ ପରିବାରକୁ ଶୋକସାଗରରେ ବୁଡ଼ାଇ ଦେଇଛି। ଏହି ଘଟଣାରେ ସମଗ୍ର ବରନାଳୀ ଗାଁ ସ୍ତବ୍ଧ ହୋଇପଡ଼ିଛି। ଅନ୍ୟପକ୍ଷରେ ଖବର ପାଇ ବାଗଡ଼ିଆ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।