ଘଟଣା ଓ ଦୁର୍ଘଟଣା

ଟଙ୍କା କେଇଟା ପାଇଁ ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

By Angul TV Bureau

June 18, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଲିୟାରୀ ଥାନା ଘଣ୍ଟପଡ଼ା ଗାଁ ନାକିଟି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମାତ୍ର ଟଙ୍କା କେଇଟା ପାଇଁ ମା’କୁ ହତ୍ୟା କରିଛି ପୁଅ। ମୃତ ମହିଳାଙ୍କ ନାଁ ଜୁଲେଇ ବିଶ୍ୱାଳ (୬୨)।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଜୁଲେଇ ଘରେ କାମ କରୁଥିବା ବେଳେ କୌଣସି କାରଣରୁ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଅ ଏକ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ତାଳଚେର କୋଲିୟାରୀ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ତାଙ୍କ ପୁଅ ମନୋଜ ବିଶ୍ୱାଳଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ମନୋଜ ବିଶ୍ୱାଳ ମା’କୁ ନିଶା ପାଇଁ ଟଙ୍କା ମାଗିଥିଲା, କିନ୍ତୁ ସେ ନ ଦେବାରୁ ତାଙ୍କୁ ହତ୍ୟା କରିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଥିବା ଜଣାଯାଇଛି।