ଘଟଣା ଓ ଦୁର୍ଘଟଣା

ଛେଳି ମାଂସ ବିକ୍ରି ବେଳେ ତୁମୁଳକାଣ୍ଡ, ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର

By Sanjeeb Biswal

November 12, 2022

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ତିପଦା ଉପର ସାହିରେ ଛେଳି ମାଂସ ବିକ୍ରି ପାଇଁ ଝଗଡ଼ା ହୋଇ ପୁଅକୁ ଟାଙ୍ଗିଆରେ ହାଣିଛି ବାପା। ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ଉପର ସାହିର ଶିବରାମ ସାହୁଙ୍କ ବାପା ପୂର୍ଣ୍ଣଚନ୍ଦ୍ର ସାହୁ ଘରେ ଛେଳି ପାଳିଥିଲେ। ଶନିବାର ସକାଳୁ ବାପ, ପୁଅ ଛେଳି କାଟି ସାହିରେ ମାଂସ ବିକ୍ରି କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ବାପା ପୂର୍ଣ୍ଣଚନ୍ଦ୍ର ଓ ପୁଅ ଶିବଙ୍କ ମଧ୍ୟରେ ଝଗଡ଼ା ସହିତ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପୂର୍ଣ୍ଣଚନ୍ଦ୍ର ପୁଅ ଶିବକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଶିବ ଗୁରୁତର ହୋଇଥିଲେ। ପୁଅକୁ ଆକ୍ରମଣ କରି ପୂର୍ଣ୍ଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶିବକୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ମୁଣ୍ତ ଓ ବାମ ହାତରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।