ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜରଡ଼ା ପଞ୍ଚାୟତ ଅଧୀନ ଗୁଣ୍ଡୁରିନାଳୀ ଗ୍ରାମର ବିଶିଷ୍ଟ ଉଦ୍ୟୋଗୀ ତଥା ସମାଜସେବୀ ଗଗନ ବିହାରୀ ସାମଲ (୪୪)ଙ୍କ ଅକାଳ ବିୟୋଗ ଘଟିଛି। ଗତକାଲି ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭୁବନେଶ୍ୱର ସ୍ଥାନାନ୍ତର ବେଳେ ବାଟରେ ହିଁ ତାଙ୍କର ଦେହାନ୍ତ ହୋଇଛି। ଶନିବାର ପୈତୃକ ଗ୍ରାମ ଗୁଣ୍ଡୁରିନାଳୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ସ୍ୱର୍ଗତ ସାମଲ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର ସ୍ୱର୍ଗତ ସାମଲଙ୍କ ମା’ଙ୍କର ମଧ୍ୟ ପରଲୋକ ଘଟିଥିଲା। ଏପରି ଅଳ୍ପ ଦିନର ବ୍ୟବଧାନରେ ମା’ ଓ ପୁଅଙ୍କ ଦେହାନ୍ତ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।