ଅନୁଗୋଳ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଜାତୀୟ ଆଇନ ସେବା ପ୍ରାଧିକରଣ, ମଧ୍ୟସ୍ଥତା ଏବଂ ମିଳାମିଶା ପ୍ରକଳ୍ପ କମିଟି ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଗୋଳ ପକ୍ଷରୁ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ “ରାଷ୍ଟ୍ର ପାଇଁ ମଧ୍ୟସ୍ଥତା-୩.୦” ଆରମ୍ଭ ହୋଇଛି।ଏହି ଅଭିଯାନ ତା ୩୧.୧୨.୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ମାମଲା, ମୋଟର ଯାନ ଦୁର୍ଘଟଣା ଜନିତ ମାମଲା, ଚେକ୍ ବାଉନ୍ସ ମାମଲା, ଘରୋଇ ହିଂସା ମାମଲା, ଜମି ଅଧିଗ୍ରହଣ ମାମଲା, ଖାଉଟି ବିବାଦ, ଚାକିରି ସମ୍ପର୍କିତ ମାମଲା, ଫୌଜଦାରୀ ମାମଲା, ଦେୱାନୀ ମାମଲା, ଋଣ ଆଦାୟ ଓ ବ୍ୟବସାୟିକ ମାମଲା ଆଦିର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ।
ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୋପନୀୟ, ସ୍ୱଚ୍ଛ, ଅନୌପଚାରିକ ଓ ନମନୀୟ ଅଟେ ଏବଂ ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତି। ନିଜ ମାମଲାର ସହଜ ସମାଧାନ ସହ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ମୁକ୍ତି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଗୋଳ କିମ୍ବା ତାଲୁକ ଆଇନ ସେବା କାର୍ଯ୍ୟାଳୟ, ତାଳଚେର, ଆଠମଲ୍ଲିକ, ପାଳଲହଡା, ଛେଣ୍ଡିପଦା ଓ ବଅଁରପାଳ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।