ମୁଖ୍ୟ ଖବର

ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଶିକ୍ଷଣ ଆୟୋଜିତ

By Angul TV Bureau

November 13, 2024

ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନଭେମ୍ବର ୧୧ ଓ ୧୨ ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସ୍ପେଶାଲ ଅଲିମ୍ପିକ୍ସ ଭାରତ, ଓଡ଼ିଶା ଏବଂ ଜିନ୍ଦଲ ଆଶାର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପ୍ରତିଯୋଗୀ ଏବଂ ଅନ୍ୟାନ୍ୟ ପ୍ରତିଯୋଗୀଙ୍କୁ କ୍ରୀଡ଼ାର ସ୍ୱତନ୍ତ୍ର କୌଶଳ ଓ ପ୍ରଶିକ୍ଷଣ ସମ୍ପର୍କରେ ଅବଗତ କରାଯାଇଥିଲା।

ଏ ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର ଓ ଏସିଆ ପାସିଫିକ୍ ଜାତୀୟ ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀଙ୍କ ସମେତ ଓଡ଼ିଶା ସ୍ପେଶାଲ ଅଲିମ୍ପିକ୍ସର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ସେମାନେ କ୍ରୀଡ଼ାର ଭିନ୍ନ ଭିନ୍ନ କୌଶଳ ସମ୍ପର୍କରେ ଅବଗତ କରିବା ସହିତ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟ ପାଇଁ କ୍ରୀଡ଼ା ଅଭ୍ୟାସ କେତେ ଜରୁରୀ ପ୍ରତିଯୋଗୀମାନଙ୍କୁ ବୁଝାଇଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବୋଚେ ପ୍ରତିଯୋଗିତା। ଏଥିରେ ଉଭୟ ଦିବ୍ୟାଙ୍ଗ ଏବଂ ଅନ୍ୟ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସିଏସ୍ଆର୍ ଡିଏମ୍ ତାପସ କୁମାର ମହାନ୍ତି ଏବଂ ଜିନ୍ଦଲ ଆଶାର ଥେରାପିଷ୍ଟ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀମାନେ ବୋଚେ, ଦୌଡ଼ ଏବଂ ସଫ୍ଟବଲ୍ ଥ୍ରୋ ସହିତ ବିଭିନ୍ନ କ୍ରୀଡ଼ାରେ ତାଲିମ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ପେଶାଲ ଅଲିମ୍ପିକ୍ସ ଭାରତ, ଓଡ଼ିଶା ପକ୍ଷରୁ ଆଠ ଜଣ ପିଲାଙ୍କୁ ଭବିଷ୍ୟତର ସ୍ପେଶାଲ ଅଲିମ୍ପିକ୍ସ ଟ୍ରାକ ଏବଂ ଫିଲ୍ଡ ଆଥଲେଟିକ୍ ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଓ.ପି ଜିନ୍ଦଲ ସ୍କୁଲର ପ୍ରିନ୍ସପାଲ୍ ଅଶ୍ୱିନୀ କୁମାର ସାହୁ, ସିଏସଆର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।