ମୁଖ୍ୟ ଖବର

ସେବା ସଂକଳ୍ପରେ ବିକଶିତ ଭାରତର ସ୍ୱପ୍ନ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

By Angul TV Bureau

September 24, 2026

ଅନୁଗୋଳ : ଆଜି ସ୍ଥାନୀୟ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। “ବିକଶିତ ଭାରତ ଏବଂ ୨୫ ବର୍ଷର ସେବା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେବା, ସମର୍ପଣ ଓ ସାମାଜିକ ଦାୟିତ୍ୱର ଭାବନାକୁ ଛାତ୍ରଛାତ୍ରୀଙ୍କ ମନରେ ଜାଗ୍ରତ କରିବା ସହିତ ବିକଶିତ ଭାରତ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ସଚେତନ କରାଇବା। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ସେବା ଓ ସମାଜ ପ୍ରତି ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନେ ନିଜର ଚିନ୍ତନ, ସୃଜନଶୀଳତା ଓ ପ୍ରତିଭା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନକୁ ଚିତ୍ରିତ ଓ ପ୍ରକାଶିତ କରିଥିଲେ।

ଏହି ଅବସରରେ ଅନୁଗୋଳ ମୁନିସିପାଲିଟିର ୧୪ ନମ୍ବର ୱାର୍ଡର କାଉନସିଲର ଶଙ୍କର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ନିଜର ସୃଜନଶୀଳ ପ୍ରତିଭାକୁ ସମାଜର ହିତରେ ବ୍ୟବହାର କରିବା ସହିତ ଦେଶର ବିକାଶ ଯାତ୍ରାରେ ଯୁବପିଢ଼ି ଅଧିକ ସକ୍ରିୟ ଭାବେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ।

ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ “ବିକଶିତ ଭାରତ ଏବଂ ୨୫ ବର୍ଷର ସେବା” ବିଷୟ ଉପରେ ନିଜର ମତାମତ ଉପସ୍ଥାପନ କରିଥିବା ବେଳେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଚିତ୍ର ମାଧ୍ୟମରେ ସେବା, ବିକାଶ ଓ ଭାରତର ଭବିଷ୍ୟତର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥିଲେ। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ସାହ, ସୃଜନଶୀଳତା ଓ ସେବା ମନୋଭାବ ପ୍ରକାଶ ହେବା ସହ ଶିକ୍ଷା ଓ ସାମାଜିକ ସଚେତନତା ସୃଷ୍ଟି କରିଥିଲା।