ଅନ୍ୟାନ୍ୟ

କୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

By Angul TV Bureau

October 31, 2022

ଅନୁଗୁଳ: ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍ ତରଫରୁ ନାଲକୋର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସିଥିବା ନାଲକୋର ୬ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି।

ନାଲକୋ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶକ ରବିନାଥ ଝା, ଡକ୍ଟର ଅଜୟ ନାରଙ୍ଗ, ଡକ୍ଟର ଶତରୁପା, ଜର୍ଜ କୁରିଆନ, ଦୁଷ୍ୟନ୍ତ ଉପାଧ୍ୟାୟଙ୍କୁ ଶ୍ରମିକ ୟୁନିୟନ ସାକ୍ଷାତ କରି ବିଭିନ୍ନ ଦାବି ରଖିଥିଲେ। ଦାବି ମୁତାବକ, ପଟାଙ୍ଗି ଖଣି ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସରୁଥିବା ବେଳେ ନାଲକୋ ବହୁ ପୂର୍ବରୁ ଆବେଦନ କରିଥିଲା। କିନ୍ତୁ ସରକାର ଏ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ଦେଇନାହିଁ। ଏଣୁ ପଟାଙ୍ଗି ମାଇନ୍ସକୁ ବକ୍ସାଇଟ ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ପାଇଁ ଦାବି କରାଯାଇଛି। ଏଥିସହ କୋଇଲାର ଅଭାବ ଯୋଗୁ ବହୁ ଚଢ଼ା ଦରରେ ଗ୍ରୀଡରୁ ବିଦ୍ୟୁତ୍ କ୍ରୟ କରିବାକୁ ପଡୁଛି। ଫଳରେ ଲାଭାଂଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। କୋଇଲା ଅଭାବ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବା ଓ ନାଲକୋକୁ ଅଗ୍ରାଧିକାର ଭିତ୍ତିରେ ରେଲୱେ ରେକ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏଥିସହ ନାଲକୋ ପାଇଁ ପାଣି ସମସ୍ୟାର ସମାଧାନ ଓ ମାନବ ସମ୍ବଳର ଅଭାବ ପୂରଣ ପାଇଁ କର୍ମଚାରୀ ନିଯୁକ୍ତିକୁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା।

ସାକ୍ଷାତ ବେଳେ ନାଲକୋ ଇଡି ଅମ୍ବିକା ପ୍ରସାଦ ପଣ୍ଡା, ଇଡି ପ୍ରଡକ୍ସନ ଅମୀୟ ସ୍ୱାଇଁ, ଗ୍ରୁପ୍ ଜେନେରାଲ ମ୍ୟାନେଜର ସତ୍ୟାନନ୍ଦ ସାହୁ, ସଙ୍ଗଠନର ସାଧାରଣ ସମ୍ପାଦକ ବିଭବ ଜେନା, ହେମନ୍ତ ପ୍ରଧାନ, ଆରକେ ସିଂ ଓ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।