ଅନୁଗୁଳ: ସ୍ଥାନୀୟ ହାଟଛକସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଶିଶୁଙ୍କୁ କେବଳ ଉଚ୍ଚ ଶିକ୍ଷିତ କରିବା ଯଥେଷ୍ଟ ନୁହେଁ, ବରଂ ପ୍ରାଥମିକ ଅବସ୍ଥାରୁ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କଲେ ହିଁ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ।ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ ଯୋଗଦେଇ ପିତାମାତାଙ୍କୁ ଶିଶୁର ମାନସିକ ସ୍ଥିତି ବୁଝିବାକୁ ପରାମର୍ଶ ଦେଇଥିବା ବେଳେ, ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଶିଶୁଙ୍କୁ ମୋବାଇଲ୍ଠାରୁ ଦୂରେଇ ରଖି ଯୋଗ ଓ ଧ୍ୟାନ ପ୍ରତି ଆଗ୍ରହୀ କରିବାକୁ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ କାର୍ଯ୍ୟଦକ୍ଷତା ପାଇଁ ଆଚାର୍ଯ୍ୟା ସଂଯୁକ୍ତା ଭୋଇ ଓ ଲିଲି ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।ପରେ ବାର୍ଷିକ କ୍ରୀଡ଼ାର କୃତୀ ପ୍ରତିଯୋଗୀ ଓ ଅଭିଭାବକଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଶିଶୁ ଭାଇଭଉଣୀଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।
ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ସବିତାରାଣୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଓ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଉତ୍ସବ ସଫଳତାର ସହ ସମାପ୍ତ ହୋଇଛି।