ମୁଖ୍ୟ ଖବର

ସହରରେ ବିକ୍ରି ହେଉଛି ବାସୀ ଖାଦ୍ୟ, ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ: ୧୫ କେଜିରୁ ଅଧିକ ଖାଦ୍ୟ ନଷ୍ଟ, ୧୪ ଦୋକାନୀଙ୍କଠୁ ୧୮ ହଜାର ୭୦୦ ଜରିମାନା ଆଦାୟ

By Angul TV Bureau

September 01, 2026

ଅନୁଗୋଳ: ସହରରେ ଖୋଲାଖୋଲି ବାସୀ ଖାଦ୍ୟ ବିକ୍ରି ହେଉଛି। ପୋଡ଼ା ତେଲରେ ଫାଷ୍ଟଫୁଡ୍ ଛଣାଯାଇ ଗରମ କରି ପରଷା ଯାଉଛି। ଏହାକୁ ଖାଇବା ପାଇଁ ଲୋକେ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି। ଏକପ୍ରକାର ସାଧାରଣ ଲୋକ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି। ଏ‌ହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାସୀ ଖାଦ୍ୟ ନଷ୍ଟ କରାଯାଇଛି। ଏଥିସହିତ ୨୦ ଟି ଦୋକାନରୁ ପ୍ରାୟ ୧୫ କେଜିରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଥିବା ବେଳେ ୧୪ ଦୋକାନୀଙ୍କଠୁ ୧୮ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ ହୋଇଛି।

ଅନୁଗୋଳ ସହରର ଗଳି ଗଳିରେ ଫାଷ୍ଟଫୁଡ୍, ଜଳଖିଆ ଦୋକାନ ଖୋଲିଛି। ସନ୍ଧ୍ୟା ଭିଡ଼କୁ ଦେଖି କେତେକ ଅସାଧୁ ବ୍ୟବସାୟୀ ନିମ୍ନମାନର ବାସୀ ଖାଦ୍ୟ ଦେଉଛନ୍ତି।

ଖାଦ୍ୟ ନିରାପତ୍ତା ଅଧିକାରିଣୀ ହରପ୍ରିୟା ବେହେରାଙ୍କ ନେତୃତ୍ୱରେ ଟିମ୍ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ପରଖିଥିଲେ। ଅମଲାପଡ଼ା ଅଞ୍ଚଳରେ ପୋଡ଼ା ତେଲରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଲା। ଶୈଳଶ୍ରୀକ୍ଷେତ୍ର ନିକଟ ଖାଓଗଳିରେ ଚଢ଼ାଉ ବେଳେ ଚିକେନ୍ ପକୋଡା, ଲଙ୍କା ଚପ୍, କୋବି ପକୋଡା ଓ ଅନ୍ୟ ଫାଷ୍ଟଫୁଡ୍ ଖାଇବା ଉପଯୋଗୀ ନୁହେଁ ବୋଲି ଜଣାପଡିଲା। ମହିଳା ମହାବିଦ୍ୟାଳୟ ନିକଟ ଦୋକାନରୁ ବାସୀ କେକ୍ ନଷ୍ଟ କରାଯାଇଥିଲା।