ମୁଖ୍ୟ ଖବର

ଷ୍ଟାଟ୍ ଅପ୍ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ, ଅଭିନବ ଚିନ୍ତାଧାରା ପରିପ୍ରକାଶ କଲେ ଛାତ୍ରଛାତ୍ରୀ

By Angul TV Bureau

September 19, 2022

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ୩ଟି ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଛି ଷ୍ଟାଟ ଅପ୍ ଓଡ଼ିଶା ଯାତ୍ରା ୨.୦। ଏ ଅବସରରେ ଏକ ରଥ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ସରକାରୀ ପଲିଟେକ୍‌ନିକ୍ ଓ ତାଳଚେର ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକାମାନେ ଷ୍ଟାଟ ଅପ ଓଡ଼ିଶାର କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇବା ସହ ଏହାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର କର୍ମକର୍ତ୍ତା ଷ୍ଟାଟ ଅପ ଓଡ଼ିଶାର ବାର୍ତ୍ତା କିଛି ଅଭିନବ ଚିନ୍ତାଧାରା ଓ ସାମଗ୍ରୀ ପ୍ରସ୍ତୁତ କରି ନିଜର ପରିଚୟ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କର ଷ୍ଟାଟ ଅପ୍ ଓଡ଼ିଶା ବିଷୟରେ ପ୍ରସ୍ତୁତ ହୋଇଥିବା ଏକ ସଂକ୍ଷିପ୍ତ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିନବ ପ୍ରୟାସ ସମ୍ପର୍କିତ ପ୍ରସ୍ତାବକୁ ପ୍ରକାଶ କରିବା ସହ ଅନଲାଇନ୍‌ରେ ସେଗୁଡିକୁ ପଞ୍ଜିକୃତ କରାଇଥିଲେ। ଉତ୍ତମ ଅଭିନବ ପ୍ରସ୍ତାବ ପ୍ରକାଶ କରିଥିବା ପ୍ରତ୍ୟେକ ମହାବିଦ୍ୟାଳୟର ସର୍ବଶ୍ରେଷ୍ଠ ୩ଜଣଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳକ ଶିବାଶିଷ କାନୁନ୍‌ଗୋ, ଶିଳ୍ପ ବିକାଶ ଅଧିକାରୀ ହିଂମାଶୁ ଶେଖର ସାହୁ, ନୃସିଂହ ଚରଣ ସାହୁ, ଷ୍ଟାଟ ଅପ ଓଡିଶାର ମଳୟ ରଂଜନ ପାତ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଗଙ୍ଗାଧର କର, ସହକାରୀ ପ୍ରଫେସର କୁମାରୀ ସୁଜ୍ଞାନୀ ରଥ, ପ୍ରଫେସର ଚିତ୍ତରଂଜନ ସାହୁ, ପଲିଟେକନିକ୍‌ର ତାଲିମ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ନାୟକ, ତାଳଚେର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଖୁଲାରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।