ଅନ୍ୟାନ୍ୟ

ରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି, ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

By Angul TV Bureau

May 30, 2025

ଅନୁଗୁଳ: ଗୁରୁବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୁ ପଦକ୍ଷେପ ଏବଂ ପ୍ରଣୀତ ବିବିଧ ଯୋଜନାଗୁଡିକର ଉଦ୍ଦେଶ୍ୟ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ।

ବହୁବିଧ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ସାଧାରଣ ସଭା, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ (ବିକାଶ ମେଳା), ଗୋଷ୍ଠୀଗତ ଆଲୋଚନା ଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ୍ ଧଳ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।