କ୍ରୀଡ଼ା

ରାଜ୍ୟସ୍ତରୀୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ: ଅନୁଗୁଳକୁ ମିଳିଲା ୯୨ଟି ପଦକ

By Angul TV Bureau

October 03, 2024

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜ ଠାରେ ୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖରା, ସମ୍ମାନିତ ଅତିଥି ଭାବେ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ଓ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଯୋଗ ଦେଇଥିଲେ। ଏ ଅବସରରେ ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଏହି ପ୍ରତିଯୋଗିତାରେ ଅନୁଗୁଳ, ବ୍ରହ୍ମପୁର, ନବରଙ୍ଗପୁର ଓ ସମ୍ବଲପୁର ଜୋନର ୩୭୭(୨୬୨ ପୁରୁଷ ଓ ୧୧୫ ମହିଳା) ଜଣ ପ୍ରତିଯୋଗୀ ୩୯ ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ମୋଟ ୩୭୫ଟି (୧୪୧ଟି ସ୍ବର୍ଣ୍ଣ, ୧୩୫ ଟି ରୌପ୍ୟ ଓ ୯୯ ଟି ବ୍ରୋଞ୍ଜ ) ପଦକ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଅନୁଗୁଳ ୯୨ଟି, ବ୍ରହ୍ମପୁର ୧୦୬ଟି, ନବରଙ୍ଗପୁର ୮୯ଟି ଏବଂ ସମ୍ବଲପୁର ଜୋନ ୮୮ ଟି ପଦକ ହାସଲ କରିଛନ୍ତି।

ପୁରୁଷ କନିଷ୍ଠ ବିଭାଗରେ ସନ୍ତୋଷ କୁମାର ପତି, ପୁରୁଷ ବରିଷ୍ଠ ବିଭାଗରେ ହରଧନ ଭୋଇ ଏବଂ ମହିଳା କନିଷ୍ଠ ବିଭାଗରେ ବବିତା ନାୟକଙ୍କୁ ଚମ୍ପିଆନ ଟ୍ରଫି ପୁରସ୍କୃତ କରାଯାଇଥିଲା। ସେହିପରି ସୁଧୀର ତ୍ରିପାଠୀ ଓ ହରଧନ ଭୋଇଙ୍କୁ ବନ ବିଭାଗ କ୍ରୀଡା ପ୍ରତିଯୋଗିତାରେ ବିଶେଷ ଅବଦାନ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ବନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।