ଅନୁଗୁଳ: ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଅନୁଗୁଳ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ସହଯୋଗରେ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ ଅନୁଷ୍ଠିତ ହେବାକୁ ଯାଉଛି।
ଏହା ଆଗାମୀ ସେପ୍ଟେମ୍ବର ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ସବୁବେଳେ ସନ୍ଧ୍ୟା ସାଢ଼େ ୬ଟାରେ ଆୟୋଜିତ ହେବ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତ ରାଏ, ଅନୁଗୁଳ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଢେଙ୍କାନାଳର ବିଶିଷ୍ଟ ନାଟ୍ୟକାର ଦିଲ୍ଲୀଶ୍ବର ମହାରଣା ଯୋଗ ଦେବେ।
ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା “ରଙ୍ଗ ସଙ୍ଗମ”ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପ-ସଭାପତି ମନ୍ମଥ କୁମାର ଶତପଥୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ବର “ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର” ଦ୍ବାରା ଡଃ. ବିଜୟ ମିଶ୍ରଙ୍କ ରଚିତ ଓ ଅଜିତ ଦାସଙ୍କ ନିର୍ଦ୍ଦେଶିତ ନାଟକ “ଶେଷ ପାହାଚ” ପ୍ରଦର୍ଶିତ ହେବ। ଦ୍ଵିତୀୟ ସନ୍ଧ୍ୟାରେ ବରଗଡ଼ ପଦ୍ମପୁରର “ଲୁ” ଦ୍ବାରା କେଶରଞ୍ଜନ ପ୍ରଧାନଙ୍କ ରଚିତ ଓ ରବିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ “କିଞ୍ଚିତ ଭୋଗମ” ପ୍ରଦର୍ଶିତ ହେବ। ତୃତୀୟ ସନ୍ଧ୍ୟାରେ ଭୁବନେଶ୍ବରର “ଥିଏଟର ଫର ଏଜୁକେସନାଲ ଆୱାରନେସ ମୁଭମେଣ୍ଟ” ଦ୍ବାରା ବିଭୂଦର ଦୀକ୍ଷିତଙ୍କ ରଚିତ ଓ ଶତ୍ରୁଘ୍ନ ସାମଲଙ୍କ ନିର୍ଦ୍ଦେଶିତ ନାଟକ “ସାହାଡ଼ା ସୁନ୍ଦରୀ” ପ୍ରଦର୍ଶିତ ହେବ।
ଚତୁର୍ଥ ସନ୍ଧ୍ୟାରେ ରାଉରକେଲାର “ପରିଚୟ” ଦ୍ଵାରା ଚିନ୍ତାମଣି ଜେନାଙ୍କ ରଚିତ ଓ ପଞ୍ଚାନନ ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ “କୋକୁଆ” ପ୍ରଦର୍ଶିତ ହେବ। ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ଡଃ. ଶିବ କୁମାର ରଥଙ୍କ ରଚିତ ଓ ଡଃ. କୃଷ୍ଣଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶିତ ନାଟକ “ ଶୁଖୁଲା ସମୁଦ୍ର” ପରିବେଷଣ କରାଯିବ। ଏହି ନାଟକ ଉତ୍ସବ ଦେୟମୁକ୍ତ ରହିବ ବୋଲି ଜଣାଯାଇଛି।