କ୍ରୀଡ଼ା

ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ (ବାଳକ ବାଳିକା) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

By Biswaranjan Pattnaik

February 14, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଚାଲିଥିବା ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହର କ୍ରିକେଟ ଟୁର୍ଣ୍ଣାମେଣ୍ଟ(୧୭ବର୍ଷରୁ କମ୍ ବାଳକ ବାଳିକା) ୨୦୨୨-୨୩ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଆଜି ଅପରାହ୍ନରେ ଅନୁଗୁଳ କଦମ୍ ପଡିଆଠାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତିତ୍ବ ହାସଲ କରିଥିବା ଦଳ ଓ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ। ଅତରିକ୍ତଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶାରିରୀକ ଶିକ୍ଷା, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଅନୁଗୁଳ ଶାରିରୀକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ଯୋଗଦେଇଥିଲେ।

ଆଜିର ଫାଇନାଲ୍ ମ୍ୟାଚ୍ ବାଳକ ବିଭାଗରେ ବଲାଙ୍ଗିର ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ ଦଳ ଟସ୍ ଜିତି ଫିଲଡିଙ୍ଗ କରିଥିବା ବେଳେ ବଲାଙ୍ଗିର ଦଳ ବିଜୟ ଲାଭ କରିଥିଲା। ଖେଳରେ ବେଣୁଧର ସେଠ ମ୍ୟାନ ଅଫ୍ ଦି ମ୍ୟାଚ୍ ଏବଂ ଯୋଗେଶ୍ଵର ବାଗ୍ ମ୍ୟାନ ଅଫ୍ ଦି ସିରିଜ ଘୋଷିତ ହୋଇଥିଲେ। ସେହିପରି ବାଳିକା ବିଭାଗରେ ଭୁବନେଶ୍ବର ଓ ବାଲେଶ୍ବର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବରଦଳ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ବାଲେଶ୍ବର ଦଳ ବିଜୟ ଲାଭ କରିଥିଲା। ବାଲେଶ୍ବରର ଏସ୍ବି ଲରେନ୍ସ ମ୍ୟାନ ଅଫ ଦି ସିରିଜ ଏବଂ ଭୁବନେଶ୍ବରର ଏମ୍ଏସ୍ ଶୁଭଶ୍ରୀ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ବିଜୟୀ ଦଳଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ବ୍ୟକ୍ତିଗତଭାବେ ସଫଳତା ପାଇଥିବା ଖେଳାଳୀମାନଙ୍କୁ ଟ୍ରଫି ଓ କ୍ରିକେଟ ବ୍ୟାଟ୍ ଦେଇ ସମ୍ମାନିତ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଗୁଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।