ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ ରାଜ୍ୟ ସମୀକ୍ଷା ମିଶନ, ଜିଲ୍ଲାର ସ୍ୱାସ୍ଥ୍ୟ ବିଷୟରେ ବୁଝିଲେ ୭ ଜଣିଆ ଟିମ୍

By Angul TV Bureau

December 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ ରାଜ୍ୟ ସମୀକ୍ଷା ମିଶନ। ଏ ଅବସରରେ ମିଶନର ୭ ଜଣିଆ ଟିମ୍ ଜିଲ୍ଲାର ସ୍ୱାସ୍ଥ୍ୟ ସମ୍ପର୍କରେ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ତିନି ଦିନ ଧରି ପୂରା ଟିମ ଅନୁଗୁଳ ଜିଲ୍ଲାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ତଦାରଖ କରିବା ସହିତ ଟୀକାକରଣ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅମ୍ଲାନ, ରକ୍ତ ଶିକୁଳି, ଅଣସଂକ୍ରାମକ ରୋଗ ଇତ୍ୟାଦି ଏବଂ ଜନସାଧାରଣ ତଥା ସ୍ୱାସ୍ଥ୍ୟ ଉପଭୋକ୍ତା ଠାରୁ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବିଷୟରେ ପଚାରି ବୁଝୁଥିଲେ।

ବୁଧବାର ଅପରାହ୍ନରେ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ସ୍ଥିତିକୁ ଜିଲ୍ଲାପାଳଙ୍କୁ ରାଜ୍ୟ ସମୀକ୍ଷା ମିଶନ ଅବଗତ କରାଇଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶାଖା ଅଧିକାରୀ, ସହିତ ରାଜ୍ୟ ସମୀକ୍ଷା ମିଶନର ଅଧିକାରୀ ଡା. ଆଦିତ୍ୟ ମହାପାତ୍ର, ଡା. ଶୁଭେନ୍ଦୁ କୁମାର ନାୟକ, ଡା. ଦୀନବନ୍ଧୁ ସାହୁ, ସୁଶାନ୍ତ କୁମାର ପାତ୍ର, ସୁକାନ୍ତ କୁମାର ମିଶ୍ର, ସ୍ୱରୂପ ଦାସ, ଡା. ହୀରାଲାଲ ନାୟକ, ଡି.ପି.ଏମ ସୋମ୍ୟା ରାଣୀ ଗୌଡ଼ ଓ ଜିଲ୍ଲା ବିତ୍ତ ପରିଚାଳକ ଟିକେଶ୍ୱର ବେହେରାଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।