ଅନ୍ୟାନ୍ୟ

ରାଜ୍ୟ ଯୋଗାସନ ପ୍ରତିଯୋଗିତା: ଅନୁଗୁଳକୁ ସ୍ଵର୍ଣ୍ଣ ସହ ୬ଟି ପଦକ

By Angul TV Bureau

May 28, 2026

ଅନୁଗୁଳ: ରାୟଗଡ଼ାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲା ଆଖିଦୃଶିଆ ସଫଳତା ହାସଲ କରିଛି। ଜିଲ୍ଲାକୁ ଗୋଟିଏ ସ୍ଵର୍ଣ୍ଣ, ଚାରିଟି ସିଲଭର ଓ ଗୋଟିଏ ବ୍ରୋଞ୍ଜ ସହ ମୋଟ ୬ଟି ପଦକ ମିଳିଛି।

ସିନିଅର ‘ସି’ ବିଭାଗରେ ସୁନିତା ପ୍ରଧାନ ଗୋଟିଏ ସ୍ଵର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସିନିଅର ‘ଏ’ ବିଭାଗରେ ଜୁଲି ନାୟକ ୩ଟି ସିଲଭର ଏବଂ ସିନିଅର ‘ସି’ ବିଭାଗରେ ଦୀପ୍ତି ପ୍ରଧାନ ଗୋଟିଏ ସିଲଭର ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କୁ ଜାତୀୟ ସ୍ଵର୍ଣ୍ଣ ପଦକ ବିଜେତା ହୃଷିକେଶ ନାଏକ ଓ ଜୁଲି ନାୟକ ପ୍ରଶିକ୍ଷଣ ଦେଇଥିଲେ।

ଏହି ସଫଳତା ପାଇଁ ଜିଲ୍ଲା ଯୋଗାସନ ସ୍ପୋର୍ଟିଂ ଆସୋସିଏସନର ପରାମର୍ଶଦାତା ପର୍ଶୁରାମ ବାରିକ, ସଭାପତି ହୃଷିକେଶ ନାଏକ, ସମ୍ପାଦକ କବି ପ୍ରଭାକର ଦାସ ଏବଂ କମିଟିର ସଦସ୍ୟମାନେ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।