ମୁଖ୍ୟ ଖବର

ସାମ୍ବାଦିକଙ୍କ ହକ୍ ପାଇଁ ଗର୍ଜିବ ୟୁଜେଏ: ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ

By Angul TV Bureau

April 16, 2026

ଅନୁଗୁଳ: ସାମ୍ବାଦିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାରଙ୍କ ଅଣଦେଖା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛି ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) । ତାଳଚେରଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି ଯେ, ଦେଶର ୧୮ରୁ ଅଧିକ ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ ମିଳୁଥିବା ବେଳେ ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ମାତ୍ର ଓଡ଼ିଶା ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ମାସିକ ୧୫ ହଜାର ଟଙ୍କା ପେନସନ, ସାମ୍ବାଦିକ ସୁରକ୍ଷା ଆଇନ, ପ୍ରେସ୍ ଏକାଡେମୀ ଗଠନ ଓ ସ୍ୱାସ୍ଥ୍ୟବୀମାରେ ପରିବାରକୁ ସାମିଲ କରିବା ଭଳି ଦାବି ନେଇ ପୂର୍ବରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ସେତେବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କ ଦାବିକୁ ସମର୍ଥନ କରି ସରକାର ଗଠନ ହେଲେ ଏହା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସରକାର ଗଠନର ଦୁଇ ବର୍ଷ ପରେ ବି କୌଣସି ସୁଫଳ ମିଳିନଥିବାରୁ ଆସନ୍ତା ଏପ୍ରିଲ ୨୯ରେ ରାଜ୍ୟବ୍ୟାପି ବିକ୍ଷୋଭ ଓ ମେ ୧ ତାରିଖରେ ସାମ୍ବାଦିକମାନେ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ ଜଣାଇବେ ବୋଲି ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଜଣାଇଛନ୍ତି ।