ଘଟଣା ଓ ଦୁର୍ଘଟଣା

ନାବାଳକଙ୍କୁ ଚେଙ୍କ ଦେବା ଘଟଣା: ସାବତ ମା’ ଓ ବାପା ଗିରଫ

By Sanjeeb Biswal

August 14, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଟିଆନାଳି ଗ୍ରାମରେ ସାବତ ମା’ ପ୍ରରୋଚନାରେ ବାପା ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେଇଥିବା ମାମଲାରେ ନାବାଳକଙ୍କୁ ଉଦ୍ଧାର କରିବା ସହ ସାବତ ମା’ ଓ ବାପାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ହଟିଆନାଳି ଗ୍ରାମର ସୁବାସ ପଧାନର ପ୍ରଥମ ପତ୍ନୀ ଘରଛାଡି ଯିବା ପରେ ସେ ମଞ୍ଜୁଲତା ପଧାନକୁ ବିବାହ କରିଥିଲେ। ବିବାହ ଦିନ ଠାରୁ ସାବତ ମା’ ସୁବାସଙ୍କ ବଡ଼ ସ୍ତ୍ରୀର ୧୨ବର୍ଷର ପୁଅକୁ ନିର୍ଯାତନା ଦେଇ ଆସୁଛି।

ଗତ କିଛିଦିନ ତଳେ ନାବାଳକ ଜଣଙ୍କ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ବେଳେ ମଞ୍ଜୁଲତା ପାଠ ପଢ଼ିଯିବାକୁ ମନା କରିଥିଲେ। ଏଣୁ ନାବାଳକ ପଢିବାକୁ ନଯାଇ ଘରେ ରହିଥିଲା। ବାପା ସୁବାସ ଘରକୁ ଫେରିବା ପରେ ସାବତ ମା ତୁମ ପୁଅ ସ୍କୁଲ ଯାଇନି ବୋଲି କହିଥିଲେ। ଏହା ଶୁଣି ରାଗରେ ସୁବାସ ପୁଅକୁ ଡାକି ମାଡ଼ ମାରିବା ସହିତ ରଶିରେ ବାନ୍ଧି ଦେଇଥିଲେ। ଏତିକିରେ ତାଙ୍କ ରାଗ ଥଣ୍ଡା ହୋଇନଥିଲା। ଘରୁ ଏକ ଲୁହାରଡ଼ ଆଣି ତାକୁ ତତାଇ ପୁଅର ହାତ ଓ ଗୋଡ଼ରେ ୪ଟି ସ୍ଥାନରେ ଚେଙ୍କ ଦେଇଥିଲେ। ନାତିର ଚିତ୍କାର ଶୁଣି ଆଈ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ଛେଣ୍ଡିପଦା ପୋଲିସ ସହାୟତାରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲା।

ଅପରପକ୍ଷେ ନାବାଳକଙ୍କ ଅଜା ଋଷି ପଧାନ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି ଯେ ନାବାଳକର ବାପା ସୁବାସ ପଧାନ ଓ ସାବତ ମା’ ମଞ୍ଜୁ ପଧାନ ନାତିକୁ ଜୀବନରେ ମାରି ଦେବା ଉଦ୍ଦେଶ୍ୟ ରଖି ଏକ ଲୁହା ରଡ଼କୁ ତତାଇ ତାର ଦେହର ବିଭିନ୍ନ ଅଙ୍ଗରେ ଚେଙ୍କ ଦେଇଥିଲେ। ନାତିକୁ ସେଠାରୁ ଉଦ୍ଧାର କରିବା ପରେ ଏହି ଘଟଣା କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଋଷି ପଧାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ସୁବାସ ଓ ସାବତ ମା’ ମଞ୍ଜୁଳତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।