ଘଟଣା ଓ ଦୁର୍ଘଟଣା

ଏବେ ବି ଅନ୍ଧବିଶ୍ୱାସକୁ ମାନୁଛନ୍ତି ସରକାରୀ ବାବୁ, ଦାନ୍ତ ବିନ୍ଧିବାରୁ ଡାକ୍ତର ପାଖକୁ ନ ଯାଇ ଗଲେ ଗୁଣିଆ ନିକଟକୁ

By Biswaranjan Pattnaik

July 13, 2022

ଅନୁଗୁଳ: ରୋଗ ହେଲେ ଡାକ୍ତର ପାଖକୁ ନ ଯାଇ ଏବେ ବି କିଛି ଲୋକ ଗୁଣିଆ ନିକଟକୁ ଯାଉଛନ୍ତି। ଫଳରେ ଅକାରଣରେ ଚାଲିଯାଉଛି ଅନେକ ନିରୀହ ଜୀବନ। ନିକଟରେ ହିନ୍ଦୋଳ ବାହାଲୁଣ୍ଡା ଗାଁର ଜଣେ ଶିଶୁ କନ୍ୟା ଝାଡ଼ା ବାନ୍ତିରେ ଆକ୍ରାନ୍ତ ଥିବା ସମୟରେ ପରିବାର ଲୋକେ ତାକୁ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେବାରୁ ତା ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଏବେ ପୁଣିଥରେ ଲୋକେ ସମାନ କାମ କରିଛନ୍ତି। ସୂଚନା ମୁତାବକ, ଛେଳିଆପଡ଼ାରେ ରହୁଥିବା ଜଣେ ପୌର କର୍ମଚାରୀଙ୍କର ଦାନ୍ତ ବିନ୍ଧିବାରୁ ସେ ଡାକ୍ତର ପାଖକୁ ନ ଯାଇ ଗୁଣିଆ ନିକଟକୁ ଯାଇ ଝଡାଫୁଙ୍କା କରିଥିଲେ। ୨୦୦ ଟଙ୍କା ଫିସ ନେଇ ଗୁଣିଆ ବା ଗାଁ କ୍ୱାକ୍ ଦାନ୍ତରୁ ଦୁଇଟି ପୋକ ବାହାର କରି ଦେଖାଇଥିଲା। ପରେ ମନ ଖୁସିରେ ବାବୁ ଜଣକ ଘରକୁ ଫେରିଥିଲେ। କିନ୍ତୁ ସେହି ରାତି ଅଧରେ ଦାନ୍ତ ବିନ୍ଧା ଅସହ୍ୟ ହେବାରୁ ସେ ଅନୁଗୁଳ ଡାକ୍ତରଖାନା ଯାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି। ତେବେ ଜଣେ ଶିକ୍ଷିତ ତଥା ସରକାରୀ କର୍ମଚାରୀ ଏଭଳି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେଉଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।