ମୁଖ୍ୟ ଖବର

ଆଥଲେଟିକସରେ ରାଜ୍ୟ ସ୍ୱର୍ଣ୍ଣ ବିଜେତା: ପେଟ ଓ ପାଠ ପାଇଁ ଗ୍ୟାରେଜରେ ଖଟୁଛନ୍ତି

By Biswaranjan Pattnaik

June 18, 2026

ଅନୁଗୋଳ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନାରା ପଡ଼ିଆରୁ ପୋଡିଅମ। ପ୍ରତିଭା ସମ୍ପନ୍ନ ଖେଳାଳୀଙ୍କ ପାଇଁ ଅର୍ଥ ଏକ ବାଧକ ହୋଇ ରହିବ ନାହିଁ। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କଥା କହୁଛି।ଅନେକ ଯୁବ କ୍ରୀଡା ପ୍ରତିଭା ଏବେ ବି ବଣ ମଲ୍ଲୀ ଭଳି ଅକାଳରେ ଝଡି ଯାଉଛନ୍ତି।

ଅନୁଗୋଳ ତୁରଙ୍ଗ ଗଉଡ଼ ସାହିରେ ରହୁଥିବା ଦୁଷ୍ମନ୍ତ ପ୍ରଧାନଙ୍କ ସଂଘର୍ଷର କାହାଣୀ ଆପଣଙ୍କୁ ବି ଆନମନା କରିଦେବ। ସାହିର ଗୋଟିଏ ମୁଣ୍ଡରେ ପ୍ରାୟ ୨୫୦ ବର୍ଗ ଫୁଟ ଯାଗାରେ ଦୁଇ ବଖରା ପଲସ୍ତରା ହୋଇ ନଥିବା ଇନ୍ଦିରା ଆବାସ ଘର। ଘରେ ରହୁଛନ୍ତି ମାଆ ମାମି ପ୍ରଧାନ ଓ ପୁଅ ଦୁଷ୍ମନ୍ତ ପ୍ରଧାନ। ଦୁଷ୍ମନ୍ତ ଦୁଇ ବର୍ଷ ହେବ କ୍ରୀଡାଗୁରୁ ନୀଳମଣି ଦାସଙ୍କ ତତ୍ତ୍ଵାବଧାନରେ ୱାକିଙ୍ଗ ଅଭ୍ୟାସ ଜାରି ରଖିଛନ୍ତି। ୨୦୨୫ ରେ ରାଜ୍ୟ ଆଥଲେଟିକ ମୀଟରେ ୧୦ କିମି ୱାକୀଙ୍ଗରେ ସ୍ୱର୍ଣ୍ଣ ଓ ନିକଟରେ ସମ୍ପନ୍ନ ହୋଇଥିବା ୨୦୨୬ ଆଥେଲେଟିକ ମିଟରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଦୁଷ୍ମନ୍ତଙ୍କୁ ପାଞ୍ଚ ବର୍ଷ ବୟସ ହୋଇଥିବା ବେଳେ ବାପା ଆର ପାରିକୁ ଚାଲିଗଲେ, ମାଆ ମୂଲ ଲାଗି ଦୁଷ୍ମନ୍ତଙ୍କୁ ପାଳି ପୋଷି ବଡ଼ କଲେ। ଦୁଷ୍ମନ୍ତ ଏବେ ଯୁକ୍ତ ଦୁଇ କଳାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରିବାରକୁ ମିଳୁଛି ମାସିକ ୧୦ କିଲୋ ଚାଉଳ ଆଉ ବିଧବା ଭତ୍ତା ୫୦୦ ଟଙ୍କା। ପେଟର ଭୋକ ମେଣ୍ଟାଇବା ପାଇଁ ଦୁଷ୍ମନ୍ତ ଘର ପାଖ ଏକ ଗ୍ୟାରେଜରେ କାମ ଶିଖୁଛନ୍ତି। ମଜୁରୀ ଦିନକୁ ୧୦୦ ରୁ ୧୫୦ ଟଙ୍କା। ଏଇ ରୋଜଗାରରେ ଚଳୁଛନ୍ତି ମାଆ-ପୁଅ। ଦୁଷ୍ମନ୍ତଙ୍କ ସ୍ବପ୍ନ ସେ, ଜାତୀୟ ପ୍ରତିଯୋଗିତାରେ ଖେଳିବେ। ମା ମାଟି ପାଇଁ ସୁନାମ ଆଣିବେ। ହେଲେ ବାଧକ ସାଜୁଛି ଅର୍ଥ।ଜଣେ ଭଲ ଆଥଲେଟ ହେବା ପାଇଁ ଭଲ ଜୋତା ଦରକାର,ଭଲ ସୁଷମ ଖାଦ୍ୟ ଦରକାର। ଆଉ ତା ସାଙ୍ଗକୁ କଠିନ ଅଭ୍ୟାସ।

ଦୁଷ୍ମନ୍ତଙ୍କ ଗୁରୁ ନୀଳମଣି କହନ୍ତି ଦୁଷ୍ମନ୍ତ ବେଶ ପରିଶ୍ରମୀ। କିନ୍ତୁ ଅର୍ଥାଭାବ ଯୋଗୁଁ ତା ମନବଳ ଭାଙ୍ଗି ଯାଉଛି।ପଖାଳ,ପିଆଜ,ଆଳୁ ଭର୍ତାରେ କେତେ ତାକତ ଆସିବ। ଦୁଇ ଓଳି ଗ୍ୟାରେଜ କାମ ତେଣୁ କେବଳ ସକାଳ ବେଳା ସେ ଅଭ୍ୟାସ କରି ପାରୁଛି। ଅର୍ଥ ଓ କ୍ରୀଡାର ଦୋଛକିରେ ଉପର ବେଳା ଅଭ୍ୟାସକୁ ସମୟ ହେଉନି। ଅନୁଗୋଳ ଜିଲ୍ଲାପାଳ ଯଦି କିଛି ଆର୍ଥିକ ସହାୟତା ଦିଅନ୍ତେ ତେବେ ଗ୍ୟାରେଜ ଛାଡ଼ି ଅଧିକ ପ୍ରାକ୍ଟିସ କରିପାରନ୍ତେ। ଏତେ ସବୁ ଅଭାବ ଅନଟନ ଭିତରେ ଆଶା ହରାଇ ନାହାନ୍ତି ଦୁଷ୍ମନ୍ତ। ଚାକିରି ଖଣ୍ଡେ ପାଇଁ ବିଭିନ୍ନ ପରୀକ୍ଷା ଦେଉଛନ୍ତି। ଆଗକୁ ପୁଣି ଗୋଲ୍ଡ ମେଡାଲ ଜିତି ପୁଣି କିଭଳି ଜିଲ୍ଲାର ଟେକ ରଖିବେ ସେଥିନେଇ ଫୋକସ ମଧ୍ୟ କରୁଛନ୍ତି।