ମୁଖ୍ୟ ଖବର

ଡେରଜାଙ୍ଗ ଡ୍ୟାମରେ ପ୍ରହସନ ପାଲଟିଛି ଆଲୋକୀକରଣ: ୨ ବର୍ଷ ହେଲାଣି ଅଚଳ ପଡ଼ିଛି ଲାଇଟ, ବଢ଼ୁଛି ଅସାମାଜିକ ତତ୍ତ୍ୱଙ୍କ ରାଜୁତି

By Angul TV Bureau

February 28, 2025

ଅନୁଗୁଳ: ଅନୁଗୁଳରେ ସୌନ୍ଦର୍ଯ୍ୟକରଣ ନାମକୁ ମାତ୍ର ହୋଇଛି। ସରକାର ସହରକୁ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରଙ୍ଗ ବେରଙ୍ଗର ଆଲୋକ ଲଗାଇଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଲୋକ ଏବେ ଖରାପ ହୋଇ ପଡ଼ିଛି। ଡେରଜାଙ୍ଗ ଡ୍ୟାମର ଆଲୋକୀକରଣ ପ୍ରକଳ୍ପ ଏମିତି ଅଚଳ ହୋଇ ପଡ଼ିଛି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ହେବ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି।

ଅନୁଗୁଳ ସହର ନିକଟବର୍ତ୍ତୀ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ଏହାର ଉନ୍ନତି ପାଇଁ ଅନେକ ଯୋଜନା ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଅତୀତରେ କାର୍ଯ୍ୟକାରୀ କରିଛି। ଏପରିକି ଜଳ ସେଚନ ବିଭାଗ ଅଧୀନରେ ଯାଉଥିବା ଉକ୍ତ ବିଭାଗ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଯୋଜନା ଗୁଡିକ ପାଣିରେ ପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସେତେବେଳେ ଡ୍ୟାମର ସୌନ୍ଦର୍ଯ୍ୟକରଣ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ଏକ ଠିକା ସଂସ୍ଥା ଦ୍ୱାରା ୪୫ଟି ଷ୍ଟ୍ରିଟ ଲାଇଟ ଲଗାଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଲାଇଟ ଲାଗିବାର କେତେ ମାସ ଚାଲିବା ପରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଲାଇଟ ଅଚଳ ହୋଇପଡିଥିଲା। ଦୀର୍ଘ ୨ବର୍ଷ ହେବ ଆଉ କୌଣସି ଗୋଟିଏ ଲାଇଟ ଲାଗୁନଥିବା ଖୋଦ ବିଭାଗୀୟ ଯନ୍ତ୍ରୀ ନିଜ ମୁହଁରେ ସ୍ୱୀକାର କରିଛନ୍ତି। ତେବେ କେଉଁ କାରଣରୁ ଲାଇଟ ଗୁଡିକ ଅଳ୍ପ ଦିନରେ ଖରାପ ହୋଇଗଲା। ଏହାର ମରାମତି କାହିଁକି କରାଯାଉନାହିଁ ବୋଲି ସହକାରୀ ଯନ୍ତ୍ରୀ ଜବହାରଲାଲ ମୁର୍ମୁଙ୍କୁ ପଚାରିବା ବେଳେ ସେ କହିଥିଲେ ଯେ ଲାଇଟ ଗୁଡିକ ଗୋଟିଏ ପରେ ଗୋଟିଏ ଖରାପ ହୋଇଯାଇଥିଲା। ଯେଉଁ କିଛି ଲାଇଟ ଜଳୁଥିଲା ତାହା ଚୋରି ହୋଇଗଲା। ଲାଇଟର ମରାମତି ପାଇଁ ଆମେ ଚିଠି ଲେଖିଛୁ କିନ୍ତୁ ତାହା ଆଜି ଯାଏଁ ହୋଇ ପାରିନି। ତେବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏତେ ବଡ଼ ପ୍ରକଳ୍ପ ହୋଇଥିଲା, ଯାହା ସହରବାସୀଙ୍କୁ ସନ୍ଧ୍ୟାରେ କିଛି ସମୟ ଚିତ୍ତ ବିନୋଦନର ସୁଯୋଗ ଦେଉଥିଲା। ଆଉ ଲୋକେ ଡ୍ୟାମ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ। କିନ୍ତୁ ଏବେ ଉକ୍ତ ଅଞ୍ଚଳରେ ପୁଣି ଅନ୍ଧାର ରାଜୁତି କରୁଛି।ଫଳରେ ଅସାମାଜିକ ତତ୍ତ୍ୱ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। ଏଣୁ ଡ୍ୟାମର ଆଲୋକୀକରଣ ବ୍ୟବସ୍ଥାକୁ ପୁଣି ଚାଲୁ କରିବାକୁ ସହରବାସୀ ଦାବି କରିଛନ୍ତି।