ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଥିବା ନୟନୀ କୋଇଲା ଖଣିରୁ ଆଜି କୋଇଲା ପରିବହନ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହାକୁ କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଓ ଅହିଂସା ନୀତିରେ ପାଳି କରି କୋଇଲା ପରିବହନକୁ ବନ୍ଦ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଏହି ରାଜପଥରେ କୋଶଳା ଗ୍ରାମଟି ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଖଣି ପକ୍ଷରୁ ଏହି ରାସ୍ତା ଦେଇ ପରିବହନ ପାଇଁ କରାଯାଉଥିବା ଯୋଜନାକୁ ଗ୍ରାମବାସୀମାନେ ଦୀର୍ଘ ଦିନ ହେବ ବିରୋଧ କରିଆସୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏକ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ସ୍ତରରେ ଦାବି କରାଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଖଣି କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି, ଯାହାଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ନୟନୀ କୋଇଲା ଖଣିରୁ ଦୀର୍ଘ ଦିନ ପରେ ଟ୍ରକରେ କୋଇଲା ଲୋଡିଂ କରାଯାଉଥିବା ଦେଖି ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଇଥିଲା। ଏହି ପରିପ୍ରେକ୍ଷୀରେ କୋଶଳା ଗ୍ରାମ ସଭାପତି କତାର୍ଥ ଦେହୁରୀଙ୍କ ତତ୍ୱାବଧାନରେ ସ୍ଥାନୀୟ ରାମଚଣ୍ଡୀ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଆଲୋଚନା ହୋଇଥିଲା ଯେ ଛେଣ୍ଡିପଦାରୁ କୋଶଳା ରାସ୍ତାରେ ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିବା ସହ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି, ତେଣୁ କୋଇଲା ପରିବହନ ହେଲେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏହି ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋଇଲା ପରିବହନ କରାଇ ନଦେବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଆନ୍ଦୋଳନକୁ ବ୍ୟବସ୍ଥିତ କରିବା ପାଇଁ ଏକ ଗ୍ରାମ୍ୟ କମିଟି, ମହିଳା କମିଟି ଓ ଯୁବ ଗୋଷ୍ଠୀଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ଏବଂ ସମସ୍ତେ ପାଳି କରି ରାସ୍ତା ଉପରେ କୋଇଲା ଗାଡ଼ିକୁ ଜଗିବା ପାଇଁ ନିଷ୍ପତ୍ତି ହୋଇଛି।