ମୁଖ୍ୟ ଖବର

ଥର୍ମାଲ ହାଟର ସ୍ଥାନାନ୍ତରଣକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସନ୍ଥପଡ଼ା ସରପଞ୍ଚ

By Biswaranjan Pattnaik

September 04, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଥର୍ମାଲ ଠାରେ ବସୁଥିବା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ଚାଲିଛି। ଏହି ସ୍ଥାନାନ୍ତରଣକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।

ହାଟ ନ ଉଠାଇବା ପାଇଁ ସନ୍ଥପଡ଼ା ସରପଞ୍ଚଙ୍କ ନେତୃତ୍ୱରେ ଅନ୍ୟ ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳ ଓ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ହାଟ ଉଠାଇଲେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ହାଟ ନ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ତାଳଚେର ଥର୍ମାଲ ଠାରେ ସପ୍ତାହରେ ଦୁଇଦିନ ପ୍ରତି ସୋମବାର ଓ ଗୁରୁବାର ହାଟ ବସିଥାଏ। ଏହି ହାଟ ଦ୍ୱାରା ଅଞ୍ଚଳବାସୀ ବେପାର କରିବା ସହ ସୁବିଧାରେ ଜିନିଷ କିଣାକିଣି କରିପାରନ୍ତି। କିନ୍ତୁ ହାଟକୁ ଉଠାଇବା ପାଇଁ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ମସୁଧା ଚଳାଇଥିବାର ସୂଚନା ମିଳିଛି। ଏଣୁ ସ୍ଥାନୀୟ ବାସିନ୍ଦା ପ୍ରଶାସନିକ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚଙ୍କ ସହ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ପ୍ରାକ୍ତନ ଗୁରୁଜାଙ୍ଗୁଲି ସରପଞ୍ଚ ସନ୍ତୋଷ ମହାନ୍ତି, ପ୍ରଦୀପ ସାମଲ, ପନଙ୍ଗ ଭୂଷଣ ସାହୁ, ଗୋପାଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।