ମୁଖ୍ୟ ଖବର

କୋଇଲା ଖଣିର ଘରୋଇକରଣକୁ ଶ୍ରମିକ ସଂଗଠନର ତୀବ୍ର ବିରୋଧ, ମୋଟର ସାଇକେଲ ଶୋଭାଯାତ୍ରା କରି ଦେଲେ ଦାବି ପତ୍ର

By Angul TV Bureau

July 18, 2022

ତାଳଚେର : ତାଳଚେରସ୍ଥିତ ଏମସିଏଲ ଭରତପୁର କୋଇଲା ଖଣି ସାଇଲୋ, ସିଏଚପି ଏବଂ ଆରଏଲଏସକୁ ଘରୋଇକରଣ ସମେତ ଅନ୍ୟାନ୍ୟ ୧୬ ଦଫା ଦାବି ପୂରଣ ପାଇଁ ୪ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରି ଦାବି ପତ୍ର ପ୍ରଦାନ କରାଯାଇଛି।

ଆଜି ସକାଳେ ଏଆଇଟିୟୁସି, ବିଏମଏସ, ଏଚଏମଏସ, ଆଇଏନଟିୟୁସି ସଙ୍ଗଠନର ହଜାର ହଜାର ଖଣି ଶ୍ରମିକ ମୋଟର ସାଇକେଲ ଯୋଗେ ସ୍ଥାନୀୟ ଦେଉଳବେଡା ଦୁର୍ଗା ମଣ୍ଡପ ଠାରୁ ବାହାରି ହାଟତୋଟା, ଶର୍ମାଛକ, ହାଣ୍ଡିଧୁଆ, ଡେରା, ବଲଣ୍ଡା, ଭରତପୁର କୋଲିୟରୀ, ଜାମ୍ବୁବାହାଳୀ ଛକ, ଡଅଁରା, କଳମଛୁଇଁ ପରିକ୍ରମା କରି ହିଙ୍ଗୁଳା ମନ୍ଦିର ଠାରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ତାଳଚେରର ସମସ୍ତ କୋଇଲାଖଣିରେ ସକ୍ରିୟ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରାୟ ୩ ହଜାରର ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ଜଣାଇଥିଲେ।

ଏହି ବିଶାଳ ଶୋଭାଯାତ୍ରାରେ ଆଇଏନଟିୟୁସିର ସୌଭାଗ୍ୟ ପ୍ରଧାନ, ଏଚଏମଏସର ଶଙ୍କର ପ୍ରସାଦ ବେହେରା, ବିଏମଏସର ସଞ୍ଜୟ ମାଝୀ, ଅରୁଣ ପ୍ରଧାନ, ଏଆଇଟୁୟୁସିର ସୁରେନ୍ଦ୍ର ଶର୍ମା, ଭରତପୁର କୋଲିୟରୀର ବାବୁଲାଲ ଖଣ୍ଡୁଆଳ, ଛବିନ୍ଦ୍ର ଖିଲାର, ଶମ୍ବୁନାଥ ନାହାକ, ତ୍ରିବେଣୀ ସାହୁ ପ୍ରମୁଖଙ୍କ ସମେତ କୋଇଲା ଖଣି ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।