ଘଟଣା ଓ ଦୁର୍ଘଟଣା

ବିଲରୁ ଫେରିବା ବେଳେ ବଜ୍ରାଘାତ: ଜଣେ ମହିଳା ମୃତ, ଜଣେ ଗୁରୁତର

By Angul TV Bureau

August 06, 2026

ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଏକ ବଡ଼ଧରଣର ବଜ୍ରାଘାତ ଘଟିଛି। ଧାନ କ୍ଷେତରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।ସୂଚନାମୁତାବକ, ଅପରାହ୍ନ ପ୍ରାୟ ଦୁଇଟା ସମୟରେ ହଠାତ୍ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଏହି ସମୟରେ ଚାରିଜଣ ମହିଳା ଧାନ କ୍ଷେତରୁ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା।

ଫଳରେ ସେଥିରୁ ଦୁଇଜଣ ମହିଳା ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଏବଂ ଅନ୍ୟ ଦୁଇଜଣ ସୁରକ୍ଷିତ ରହିଥିଲେ।ସୁରକ୍ଷିତ ଥିବା ଦୁଇ ମହିଳା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟୋ ଯୋଗେ ଉଭୟଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରିତା ଗୋଛାୟତ (୪୫)ଙ୍କୁ ମୃତ ଘୋଷଣା କରିଥିବା ବେଳେ, ଅନ୍ୟ ଜଣେ ଗୁରୁତର ମହିଳା କୁନି ସାହୁ (୩୫) ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।