ଅନୁଗୁଳ: ଓଡ଼ିଶାର ବିଭିନ୍ନ କଲେଜ୍ ରେ ଦୀର୍ଘ ଦିନ ଧରି ଚାଲିଥିବା ଛାତ୍ରୀ ନିର୍ଯାତନା ମାମଲା ଏବେ ଗୋଟିଏ ପରେ ଗୋଟିଏ ସାମନାକୁ ଆସୁଥିବା ବେଳେ ଅଭିଭାବକ ମହଲରେ ଉଦବେଗ ଦେଖା ଦେଇଛି। ଅନୁଗୋଳ କଲେଜ୍ ର ଚାରି ଜଣ ଅଧ୍ୟାପକଙ୍କ ବିରୁଦ୍ଧରେ ତିନି ଜଣ ଅଭିଭାବକ ମିଶି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅଭିଯୋଗ ପତ୍ର ପଠାଇଥିବା ଜଣା ପଡ଼ିଛି। ପ୍ରାଣୀ ବିଜ୍ଞାନର ଅଧ୍ୟାପକ ପି ରାଉତ, ଏଲ ବିଶ୍ଵାଳ, ଉଦ୍ଭିଦ ବିଜ୍ଞାନର ଏ ଦାସ ଏବଂ ଇଂରାଜୀ ବିଭାଗର ଏମ ମିଶ୍ରଙ୍କ ନାମରେ ଏହି ସାଙ୍ଘାତିକ ଅଭିଯୋଗ ଆସିଛି।
ଅଭିଭାବକ ସନ୍ତୋଷ ରାଣା, ନୀଳମାଧବ ମହାନ୍ତି ଏବଂ ପ୍ରଭାତ କୁମାର ମହାପାତ୍ର ମିଳିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେମାନଙ୍କର ଝିଅ ମାନଙ୍କୁ ସାର ମାନେ ଅଶୋଭନୀୟ କଥା ବାର୍ତ୍ତା କରିଛନ୍ତି,ସେମାନଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି,କ୍ଲାସ ଭିତରେ ଲାବୋରେଟରୀରେ ଏହି ସବୁ ଘଟଣା ଘଟିଛି। ଛାତ୍ରୀ ମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହି ଅଧ୍ୟାପକ ମାନେ ୧୫ ରୁ ୨୦ ବର୍ଷ ଧରି ଏଇ କଲେଜ୍ ରେ ଅଛନ୍ତି। ତାଙ୍କୁ ବଦଳି କରାଯାଉ ନାହିଁ କାହିଁକି ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି।
ତେବେ ଗତ ୧୩ ଜାନୁଆରୀରେ ଅମଲାପଡ଼ାର ଏହି ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହି ଚିଠି ତଦନ୍ତ ପାଇଁ ଅନୁଗୁଳ କଲେଜ୍ କୁ ଆସି ନଥିଲା କିପରି ବୋଲି ଏବେ ପ୍ରଶ୍ନ ଉଠିଛି। ତେବେ ନିକଟରେ ସବୁଆଡେ ଖୋଳ ତାଡ଼ ଚାଲିବା ପରେ ଏବେ ଅଭିଭାବକଙ୍କ ଚିଠି ଉପରେ ତର୍ଜମା ଚାଲିଛି। ଏଥିନେଇ ଅନୁଗୁଳ କଲେଜ୍ ର ପ୍ରିନ୍ସିପାଲ ନିଲାଞ୍ଚଳ ପଟେଲଙ୍କୁ ପଚାରିବାରୁ ସେ ଏବେ ଘଟଣା ସମ୍ପର୍କରେ ଶୁଣୁଛନ୍ତି, କୌଣସି ଅଭିଭାବକ ତାଙ୍କୁ ଭେଟି ନାହାନ୍ତି। ଘଟଣା ନେଇ ଆମେ ତଦନ୍ତ କରୁଛୁ ବୋଲି ଶ୍ରୀ ପଟେଲ ପ୍ରକାଶ କରିଛନ୍ତି। ଏଥି ସହିତ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଅନ୍ତରୀଣ ସୁରକ୍ଷା କମିଟି ଗଠନ,୧୮୧ ଫୋନ୍ କଲ୍ ନେଇ ସଚେତନତା, କଲେଜ୍ ର ଚାରିଆଡେ ସିସିଟିଭି ସଂଯୋଗ କରାଯାଉଛି।
ତେବେ ଗତ ସାତ ମାସ ଧରି ନିର୍ଯାତନା ନେଇ ଆସିଥିବା ଅଭିଯୋଗ ପତ୍ର ବା ଚିଠିକୁ କିଏ କାହିଁକି ଚାପି ରଖିଥିଲା ସେଥିନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମାମଲାର ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।