ମୁଖ୍ୟ ଖବର

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଙ୍କ ଦାଦାଗିରି, ଡେଲିଭରି ଦେବାକୁ ଯାଇଥିବା ଯୁବକଙ୍କୁ କଲେ ମରଣାନ୍ତକ ଆକ୍ରମଣ

By Angul TV Bureau

July 26, 2024

ଅନୁଗୁଳ: ଡେଲିଭରି ବୟଙ୍କୁ ଆକ୍ରମଣ। ଅନୁଗୁଳ ସହର ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ଏଠାରେ ଡେଲିଭରି କରିବା ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ରାଧାରମଣପଡାର ସନ୍ତୋଷ କୁମାର ଦେହୁରୀଙ୍କ ପୁଅ ଗୁଲସନ୍ ଦେହୁରୀ ତାମ୍ରିତ କଲୋନୀ ଅଞ୍ଚଳରେ ଥିବା ଏକ ଡେଲିଭରି ସଂସ୍ଥାରେ କାମ କରନ୍ତି। ଗୁରୁବାର ସନ୍ଧ୍ୟାରେ ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରୁ ଚାଉଳ ଏବଂ ଚାରୁମଗଜ ଡେଲିଭରି ଦେବାକୁ ଯାଇ ଫେରୁଥିବା ବେଳେ ଛାତ୍ରାବାସର ୫ ଜଣ ଛାତ୍ର ତାଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ସେ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ଅଶୋକ ମୋଦିଙ୍କୁ ଜଣାଇବା ପରେ ବି ସେ କିଛି ଶୁଣି ନଥିଲେ। ଏଣୁ ଗୁଲସନ ନିଜ ସାଙ୍ଗ ଅଭିଜିତ ସାହୁଙ୍କୁ ଡାକି ଥିଲେ। ଅଭିଜିତ ଯିବା ପରେ ସମ୍ପାଦକ ଶ୍ରୀ ମୋଦି ଅଭିଜିତଙ୍କୁ ବାହାର କରି ଦେବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଖବର ପାଇ ପୋଲିସ ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲା। ଏ ନେଇ ଗୁଲସନ ଏବଂ ଅଭିଜିତ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।